ଫଗୁଣ ଓ ତୁମେ
ଫଗୁଣ ଓ ତୁମେ
ଫଗୁଣ କହିଛି ଫେରିବ ନିଶ୍ଚୟ
ତୁମେ ଫେରିବ କି କୁହ।
ତୁମ ବିନା ଏଠି ଫଗୁଣର ମାନେ
ଆଖିରେ ଆଖିଏ ଲୁହ।
ବାରି ଆମ୍ବଡାଳେ ପେନ୍ଥା ପେନ୍ଥା ଆମ୍ବ
ପବନେ ଖେଳିବେ ଦୋଳି
ତୁମେ ନ ଆସିଲେ ତୋରାଣିରେ ଆମ୍ବ
ବାସିବନି ଆଗଭଳି।
ରାଧାଗୋବିନ୍ଦଙ୍କ ମେଲଣ ଶବଦେ
ଦାଣ୍ଡ ପଡ଼ିବ ଉଛୁଳି।
ତୁମେ ବିନା ଏଠି ଉଦାସୀ ମନଟା
ଝୁରିବ ତୁମକୁ ଭାଳି।
ସରବେ ଏଠାରେ ଖେଳିବେ ତ ହୋଲି
ଧରି ରଙ୍ଗ ପିଚକାରୀ।
ସବୁ ରଙ୍ଗ ଏଠି ଲାଗିବ ତ ଫିକା
ତୁମେ ନ ଆସିଲେ ଫେରି।
ଫଗୁଣ ସାଥିରେ ଫେର ଯଦି ତୁମେ
ନାଚିବ ଫଗୁଣ ମନ।
ତୁମେ ନ ଆସିଲେ ରୂପସୀ ଫଗୁଣ
ଲାଗିବଟି ରଙ୍ଗହୀନ।
ଫଗୁଣ ସାଥିରେ ତୁମେ ସିନା ଗଲ
ଭରିଦେଇ ମନେ କୋହ।
ଫଗୁଣ କହିଛି ଫେରିବ ନିଶ୍ଚୟ
ତୁମେ ଫେରିବ କି କୁହ!

