ଫେରିବ ଫଗୁଣ
ଫେରିବ ଫଗୁଣ
ଫଗୁଣ ମାସରେ ଫଗୁଣ ହଜିଲୁ
କେଉଁଠି ବା ହଜି ଗଲୁ
ତୋର ସେ ସୁନ୍ଦର ଶାନ୍ତ-କାନ୍ତ ସ୍ପର୍ଶ
ସଂଗେ ନେଇ ଚାଲିଗଲୁ ।
ତୁ ଆସିବୁ ବୋଲି ପୃଥିବୀ ଚାହୁଁଛି
ନିରାଶ କାହିଁ ବା କଲୁ
ଝାଞ୍ଜି ଦେଇଗଲା ନିଖୋଜ ବାରତା
ତୋ ବାଟ ଯେ ଚାହିଁ ଥିଲୁ ।
ସୁଲୁ ସୁଲୁ ବାଆ ବହୁ ନାହିଁ ଆଉ
ନାହିଁ ତା ମଧୁ ପରଶ
ବଉଳର ବାସ୍ନା ଚହଟୁନି ଆଜି
ପୃଥିବୀ ଦିଶେ ନିରସ ।
ଆମ୍ର କୁଞ୍ଜେ ଆଜି ଶୁଭୁନାହିଁ ପରା
କୋଇଲିର କୁହୁ ତାନ
ମନ ଖୋଜୁ ଅଛି ତୋତେ ଲୋ ଫଗୁଣ
ତୁ କିମ୍ପା ଅଛୁ ମଉନ ।
ହଳଦୀ ବସନ୍ତ କହୁନାହିଁ ଆଜି
ସୀତା କୁକୁ କୁକୁ କୁହୁ
ଫଗୁଣର ଆବାହନୀ ଶୁଭୁନାହିଁ
ଶ୍ଵାସ ବହେ ର୍ମୁହୁ ର୍ମୁହୁ ।
ପୃଥିବୀ ଚାହିଁଛ ତତେ ଲୋ ଫଗୁଣ
ଅପୂର୍ବ ଆନନ୍ଦ ବଶେ
ତୁହି ଆସୁନାହୁଁ କାହିଁ ପାଇଁ କହ
ସମୟ ଗଡିବା ଦିଶେ ।
ପୃଥିବୀରେ ଝାଞ୍ଜି ଖରାର ରାଜୁତି
ତୋ ବାରତା ଦେଇଅଛି
ହଜିଗଲୁ ବୋଲି ତା ଉଦ୍ଧତାମି ରେ
ଉତ୍ତାପ ଭରି ଦେଉଛି ।
ମଣିଷକୁ ସତେ କହିଗଲୁ ତୁହି
ତା କ୍ରୁର ପଣିଆ କଥା
ନିଜ ହାତେ ନିଜ ଜିହ୍ଵା ଛେଦନରେ
କିଏ ଅବା ନେବ ବ୍ୟଥା ।
ପ୍ରକୃତି ଉପରେ ଯେତେ ଅତ୍ୟାଚାର
କିବା ମନେ ପକାଉଛୁ
ରୁଷି ଗଲୁ ତୁହି ନିରବେ ନିଶ୍ଚଳେ
ଭାବିବାକୁ କହୁ ଅଛୁ ।
ଫଗୁଣେ ଫଗୁଣ ହଜି ଯାଇଅଛି
ଋତୁରାଜ ଗଲା ରୁଷି
ମଣିଷ କରୁଛି ଅତ୍ୟାଚାର ଆଜି
ପୃଥିବୀ ଯାଉଛି ଭାସି ।
ପ୍ରକୃତି ଉପରେ ଆମ ଅତ୍ୟାଚାର
ନିଜକୁ ଭାରି ପଡୁଛି
ଦେଶାନ୍ତର ହୋଇ ସୁନ୍ଦରୀ ଫଗୁଣ
ଆମକୁ ଯେ ଚେତାଉଛି ।
ତାର ଚେତନାରେ ଉଦ୍ବୁଦ୍ଧ ହୋଇବା
କରିବା ପ୍ରକୃତି ପୂଜା
ହସିବ ପୃଥିବୀ ହସିବ ଜଗତ
କଟିବ ସଭିଙ୍କ ସଜ୍ଜା ।