ଫେରି ଆସ ବନ୍ଧୁଗଣ
ଫେରି ଆସ ବନ୍ଧୁଗଣ
ବୟସ ଲହଡି ମାରୁଥିଲା
ପବନରେ କାଗେଜି ଫୁଲ
ଦୋହଲିଲା ପରି
କେତେ ସାହାଯ୍ୟ ଛୁଟିଆସୁଥିଲା
ସକାଳ କାକର ବିନ୍ଦୁ ସରି ।
ଏବେ ଖାଲି ପଚାରିଲି
ବଙ୍କୁଲିବାଡିଟା କାହିଁ
ବୋହୂ ଧରାଇଲା
ଘରପୋଛା ମପ୍ ନେଇ
ଚଷମାଟା ଆଣିବାକୁ
ଡାକ ପକାଇଲେ
ଭିତରୁ ଉତ୍ତର ଆସେ,
ବାସନମଜାରେ ଚଷମା କି ତୁଲେ ।
ହେ ପ୍ରିୟ ବନ୍ଧୁଗଣ
ତୁମେମାନେ ବି ଏମିତି ଥିବ ନା
ଆସ ସବୁ ଏକାଠି ହେବା
ବିଦ୍ୟାଳୟର ଅଗଣା
ଖେଳିବାକୁ ରୁମାଲ ବାନ୍ଧିବାକୁ
ଦରକାର ପଡିବନି
ଜଲଦି ଧରିପକେଇବ
ଚୋର ହେବାକୁ ଆଉ
ବିରକ୍ତ ଲାଗିବନି ।
ଫେରି ଆସ ବନ୍ଧୁଗଣ
କାହାଣୀ ଛଳରେ କହିବା
ଆମ ଜୀବନୀ, ଆମ କାହାଣୀ
ଭୁଲିଯିବା ଭୋକ ଶୋଷ
ଆମ ଲୁହ ଭିଜା ହସରେ ପୁଣି ।
