ପଦ୍ମ ବେଶ
ପଦ୍ମ ବେଶ
ଭବ ସଂସାରରେ ଭାବର ଠାକୁର
ଭାବ ବିନୋଦିଆ ଅଟନ୍ତି ସେ
ଭାବରେ ବାନ୍ଧି ରଖନ୍ତି ଭକତ
ଭାବର ସେ ଅତୁଟ ଡୋର,
ଭରସା ବିଶ୍ବାସ କରିଥାଏ ଯିଏ
ଭବରେ ଭାବି ତାଙ୍କୁ ପ୍ରଭୁ
ଭଜୁ ଥାଏ ମନେ ପ୍ରାଣେ
ଭକତ ଭାବରେ କରି ନିଜର।
ନିତ୍ୟ ନୂତନ ସେ
ନବ ନବ କେତେ ବେଶ
ନରହରି ଦୀନବନ୍ଧୁ ଦୈତ୍ୟାରୀ
ନାମ ଯେତେ ତାଙ୍କର ବିଶେଷ,
ନାଥ ହୋଇ ଅନାଥର
ନୟନର ହୁଅନ୍ତି ପଥଗାମୀ
ନିରେଖି ଦେଖିଲେ ରୂପ ତାଙ୍କର
ନା ନା ବେଶେ ସେ ଅଶେଷ।
ପ୍ରଭୁଙ୍କର ପଦ୍ମ ବେଶ ସ୍ବତନ୍ତ୍ର
ପ୍ରକାଶି ଝଟକି ଉଠନ୍ତି
ପ୍ରକୃତିକୁ ଜିଣି ତାଙ୍କ କାନ୍ତି
ପରମ ବ୍ରହ୍ମ ସେ ଯେ ଅନାଦି,
ପବିତ୍ର ପ୍ରାଣରେ କରି ଆରାଧନା
ପାପୀ ବି ପତିତରୁ ହୁଏ ଉଦ୍ଧାର
ପରମ ଦୟାଳୁ କୃପାସିନ୍ଧୁ
ପରୀକ୍ଷା ନିଅନ୍ତି ହୋଇ ଦରଦି।
ମାଘ ମାସ ବସନ୍ତ ପଞ୍ଚମୀ ପୂର୍ବରୁ
ମହା ଆନନ୍ଦରେ ପଦ୍ମବେଶ ଧରି
ମହିମା ତାଙ୍କର ପ୍ରକାଶନ୍ତି
ମହୀର ମଣିମା ଶ୍ରେଷ୍ଠ ଅଧିପତି,
ମନ ନେଇ ବୁଧବାର କି ଶନିବାର
ମନୋହର ଏ ବେଶ ହୋଇ
ମୁଗ୍ଧ କରନ୍ତି ଭକତ ଅନ୍ତର
ମହୋଦଧି କୂଳେ କଳ୍ପବଟ ମୂଳେ
ସେ ମୋହନ ମୋହି ଭକତର ମତି।
ବରଷକେ ଥରେ ମାତ୍ର ପହୁଡ ଯାନ୍ତି
ବଡ଼ ସିଂହାର ବେଶ ନ ହୋଇ
ବଡ଼ଛତା ମଠର ସନ୍ଥ ରଘୁବର ଦାସ
ବଡ଼ ଠାକୁରଙ୍କ ପଦ୍ମ ବେଶର ପ୍ରବର୍ତ୍ତକ,
ବହୁ ଦୂରେ ଥାଇ ସେ ଭକତ
ବଳାଇଥିଲେ ମନ ମନୋହର ଦାସ
ବଡ଼ ଆଶା ନେଇ ଦର୍ଶନ କରିବାକୁ
ବଡ଼ ମନ୍ଦିରରେ ଶ୍ରୀଜଗନ୍ନାଥ।
ଚାଲି ଚାଲି ବହୁ ପଥ
ଚାଲି ନ ପାରିବାରୁ ସ୍ମରିଲେ ପ୍ରଭୁଙ୍କୁ
ଚକିତ ହେଲେ ଅସମୟେ ଦେଖି
ଚଲା ବାଟେ ପଦ୍ମ ପୋଖରୀ,
ଚଞ୍ଚଳେ ତୃଷା ନିବାରି
ଚରଣ ପୂଜିବାକୁ ପ୍ରଭୁଙ୍କର
ଚିତ୍ତେ ଚିନ୍ତି ତୋଳିଲେ ପଦ୍ମ
ଚକାଆଖି ପାଶେ ଆସି ଦେଲେ ବିତରି।
ମଳିନ ପଦ୍ମ ସବୁ ଦେଖି
ମହାରୋଷେ ପଣ୍ଡା ଦେଲେ ଫିଙ୍ଗି
ମନୋହର ମନ ଊଣା କରି
ମୂର୍ଚ୍ଛା ପଡିଲେ ବଡ଼ଛତା ମଠ ପାଶେ,
ମହାରାଜା ଗଜପତିଙ୍କୁ
ମହାପ୍ରଭୁ ଦେଲେ ସ୍ବପ୍ନାଦେଶ
ମନୋହର ଆଣିଥିବା ପଦ୍ମ ଫୁଲେ
ମୋହନ ଦର୍ଶନ ଦେବେ ପଦ୍ମବେଶେ।
ଭକତ ମନବାଞ୍ଛା କରି ପୂରଣ
ଭାବରେ ବାନ୍ଧି ରଖିଛନ୍ତି ଜଗତ
ଭରସା ବିଶ୍ଵାସର ହୋଇ ବିଶ୍ଵବନ୍ଧୁ
ଭୁବନେ ପ୍ରଭୁ ଭୁବନବିହାରୀ,
ଭକତର ମାନ ରଖି ସେଦିନୁ
ଭକ୍ତବତ୍ସଳ ହୁଅନ୍ତି ପଦ୍ମବେଶ
ଭବ ଭୟରୁ ପ୍ରଭୁ କରନ୍ତୁ ପାରି
ଭଜୁଥାଏ ନିତି ଭକ୍ତିରେ ପ୍ରଣାମ କରି।
