ପାତାଳୀ ଶ୍ରୀକ୍ଷେତ୍ର
ପାତାଳୀ ଶ୍ରୀକ୍ଷେତ୍ର
ସୋନପୁର ଜିଲ୍ଲା ବୀର ମହାରାଜପୁର ଉପ ଜିଲ୍ଲା ସ୍ଥିତ କୋଟସମଲାଇ ଗ୍ରାମ ନିକଟ ତ୍ରିକୂଟ ପର୍ବତ ଉପରେ ରହିଛି ଅନେକ ଗୁଡ଼ିଏ ଗୁମ୍ଫା l ବହୁକାଳ ପୂର୍ବେ ସୋନପୁର ରାଜାଙ୍କ ରାଣୀ ଏହି ଗୁମ୍ଫା ସବୁ ଖୋଦିତ କରାଇ ଥିଲେ ବୋଲି,ଇତିହାସରୁ ଜଣା ଯାଇଥାଏ l ବହିଃଶତ୍ରୁ ଆକ୍ରମଣ ଓ ଅନ୍ୟ ଆପଦ ସମୟରେ ଏସବୁ ଗୁମ୍ଫା ଜରୁରୀ ତଥା ନିରାପଦ ଆଶ୍ରୟସ୍ଥଳୀ ରୂପେ ବ୍ୟବହୃତ ହେଉଥିଲା l ଏଠାରେ ଥିବା ଗୁମ୍ଫା ମଧ୍ୟରେ ଶ୍ରୀମନ୍ଦିର ଉପରେ ଯବନ ରକ୍ତ ବାହୁର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀସୁଭଦ୍ରା ଓ ଶ୍ରୀ ବଳଭଦ୍ର ଏକଶହ ଚଉରାଳିଶ ବର୍ଷ ପାତାଳିହୋଇ ରହିଥିଲେ l ଏକ ଦୁର୍ଗମ ସ୍ଥାନ ହୋଇଥିବାରୁ ସେଠି କୌଣସି ବହିଃ ଶତ୍ରୁ ପହଞ୍ଚିବା ଅତୀବ କଠିନ ଥିଲା l ଏହି ଗୁମ୍ଫା ମାନଙ୍କରେ ବହୁ ଧନରତ୍ନ ଲୁକ୍କାୟିତ ହୋଇରହିଛି ବୋଲି ଲୋକ ବିଶ୍ୱାସ ରହିଛି l ଗୁମ୍ଫା ଗୁଡ଼ିକରେ ବହୁ ମୁନିଋଷି ଏବେ ମଧ୍ୟ ଅଦୃଶ୍ୟଭାବେ ତପସ୍ୟା ରତ ଅଛନ୍ତି ବୋଲି ବିଶ୍ୱାସ କରା ଯାଉଛି l ସେଇ ପାହାଡ଼କୁ ଲାଗି ରହିଛି, ଧୋଇଆ ବନ୍ଧ ପାହାଡ଼ l ଧୋଇଆବନ୍ଧ ପାହାଡ଼ରେ ମଧ୍ୟ ବହୁ ଗୁଡ଼ିଏ ଗୁମ୍ଫା ରହିଛି l ତ୍ରିକୂଟ ପାହାଡ଼ର ପଶ୍ଚିମ ଦିଗରେ ରହିଛି ଚନ୍ଦନ ଖୋଲ l ଖୋଲ ନିକଟରେ ଥିବା ଗୋଟିଏ ବଡ଼ ଆମ୍ବ ଗଛ ମୂଳରୁ ଝରଣାଟିଏ ବାହାରିଛି, ଏ ସ୍ଥାନର ମାଟି ଚନ୍ଦନ ଭଳି ବାସିଥାଏ l ସେଥିପାଇଁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକେ କହିଥାନ୍ତି l ଚନ୍ଦନଖୋଲ ନିକଟରେ ପୁଣି ଅଛି ତାଳ ଖୋଲ l ଏଠାରେ ପଥର ନିର୍ମିତ ଏକ ବଡ଼ମଣ୍ଡପ ରହିଛି l କୁହାଯାଏ ଏହି ମଣ୍ଡପରେ ପାତାଳୀ ହୋଇ ଥିବା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନକୀର୍ତ୍ତନ କରା ଯାଉଥିଲା l ଗୁମ୍ଫାଗୁଡ଼ିକୁ ଏଠିକାର ଲୋକମାନେ ବିଭିନ୍ନ ନାମ କରଣ କରିଛନ୍ତି ଯଥା ମାଧବଗୁମ୍ଫା, ଧନା ଗୁମ୍ଫା,ରାଣୀଖୋଲଗୁମ୍ଫା,ଦାରୁକୋଣ ଗୁମ୍ଫା ଇତ୍ୟାଦି l ଦାରୁକୋଣ ଗୁମ୍ଫାରେହିଁ ମହାପ୍ରଭୁ ଶ୍ରୀ ବଳଦେବ,ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରାଙ୍କ ବିଗ୍ରହକୁ ପାତାଳୀ କରା ଯାଇଥିଲା l
ଇତିହାସରୁ ଜଣା ଯାଏ, ୫୮୮ ଖ୍ରୀଷ୍ଟାବ୍ଦ ବେଳକୁ ଉତ୍କଳରେ ଶ୍ରୀଶୋଭନଦେବ ବା ଶୁଭାକର ଦେବ ରାଜୁତି କରୁଥିଲେ l ତାଙ୍କ ରାଜତ୍ୱକାଳରେ ସାରା ଭାରତରେ ହୁଣ ଓ ଶକ ମାନଙ୍କର ପ୍ରଭାବ ବୃଦ୍ଧି ପାଇ ଥିଲା l ଏହି ସମୟରେ ରକ୍ତବାହୁ ନାମରେ ଯବନ ସେନାପତି ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା l ଯବନ ମାନଙ୍କ ଆକ୍ରମଣକୁ ପ୍ରତିହତ କରି ନପାରି ରାଜା ଶୋଭନଦେବ ଠାକୁରମାନଙ୍କ ସୁରକ୍ଷା ପାଇଁ ମନ୍ଦିରରୁ ଅପସାରଣ କରିଥିଲେ ଓ ସେମାନଙ୍କୁ ନୌକାରେ ମହାନଦୀର ଜଳ ପଥରେ ସୋନପୁର ରାଜ୍ୟକୁ ଘେନି ଯାଇ ଥିଲେ l ଠାକୁର ମାନଙ୍କୁ ସୋନପୁର ରାଜାଙ୍କ ସହାୟତାରେ ହାତୀ ପୃଷ୍ଠରେ ଗୋପାଲୀ ଗ୍ରାମକୁ ନିଆ ଯାଇଥିଲା l ଏହା ଶୋଭନ ଦେବଙ୍କ ରାଜତ୍ୱର ଦ୍ୱିତୀୟ ଅଙ୍କର ସମୟ ଥିଲା l ହସ୍ତୀପୃଷ୍ଠରେ ଠାକୁରମାନଙ୍କୁ ଧରି ସେବକମାନେ ଘୋର ଜଙ୍ଗଲରେ ପ୍ରବେଶକଲେ l ବାଟବଣା ହୋଇ କୁଆଡ଼େ ଯିବେ କିଛି ଠିକ୍ କରି ନପାରି ସେବକଗଣ କ୍ରନ୍ଦନ କରିବାକୁ ଲାଗିଲେ l ସନ୍ଧ୍ୟା ହୋଇ ଯାଇଥାଏ l ସେବକମାନେ ହଠାତ୍ ଦେଖିଲେ ତ୍ରିକୂଟ ପାହାଡ଼ ଉପରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ରେଖା ତାଙ୍କୁ ହାତ ଠାରି ପଥ ନିର୍ଦ୍ଧେଶ କରି ଡାକୁଛି ତାଆରି ଆଡ଼କୁ ଯିବା ପାଇଁ l
ଅନ୍ଧକାର ରାତ୍ରିରେ ସେବକ ମାନେ ଆଗକୁ ଯାଇ ନପାରି ସକାଳ ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଲେ l ସକାଳୁ ସେବକମାନେ ସେହି ଆଲୋକ ଆସୁଥିବା ଦିଗ ଆଡ଼କୁ ଆଗେଇ ଯାଇ ପହଞ୍ଚିଲେ ଦାରୁକୋଣ ଗୁମ୍ଫା ପାଖରେ l ସେହି ଗୁମ୍ଫାମଧ୍ୟରେ ତିନି ଠାକୁରଙ୍କୁ ରଖି, ଗୁମ୍ଫା ଦ୍ୱାରକୁ ପଥର ଦ୍ୱାରା ବନ୍ଦ କରି ଦେଇ, ମାଟି ଲିପି ଦେଲେ ଓ ସାମ୍ନାରେ ଚିହ୍ନଟ ପାଇଁ ଏକ ବରଗଛ ଲଗାଇ ଦେଲେ l ସେ ବର ଗଛଟି ବଡ଼ହୋଇ କାଳକ୍ରମେ ପୁରା ଗୁମ୍ଫାକୁ ମାଡ଼ି ବସିଥିଲା l ଏଥି ପାଇଁ ଏହାର ନାମ ହେଲା ଦାରୁକୋଣ ଗୁମ୍ଫା l
ଶୋଭନକର ଦେବଙ୍କ ପରେ ତାଙ୍କ ପୁତ୍ର ଚନ୍ଦ୍ରକର ଦେବ ରାଜା ହେଲେ l ତାଙ୍କ ରାଜତ୍ୱ ସମୟବେଳ ଠାରୁ ଧୀରେ ଧୀରେ ଠାକୁର ମାନେ କେଉଁଠାରେ ରହିଲେ ଲୋକମାନେ ଭୁଲିଯିବାକୁ ବସିଲେ lଏହି ପରି ଭାବେ ଠାକୁର ମାନେ ତ୍ରିକୂଟ ପାହାଡ଼ ଗୁମ୍ଫା ମଧ୍ୟରେ ୧୪୪ ବର୍ଷପର୍ଯ୍ୟନ୍ତ ପାତାଳୀ ହୋଇ ରହି ଥିଲେ l ପରବର୍ତ୍ତୀ ସମୟରେ ଉତ୍କଳରେ ଯଯାତି କେଶରୀ ରାଜା ହେଲେ l ସେତେ ବେଳକୁ ଯବନ ମାନେ କ୍ରମେ ଦୁର୍ବଳ ହୋଇଯାଇଥାନ୍ତି l ରାଜତ୍ୱର ୧୧ ଅଙ୍କରେ ରାଜା ସାଧୁ ସନ୍ନ୍ୟାସୀ ମାନଙ୍କୁ ଡାକି ପଚାରିଲେ," ଉତ୍କଳ ରାଜାଙ୍କ ଆରାଧ୍ୟ ଜଗନ୍ନାଥ କେଉଁଠାରେ ଅଛନ୍ତି"l ସାଧୁମାନେ ତହୁଁ କହିଲେ, "ମୋଗଲ ଗୋଳ ହୋଇଲାରୁ ସମୁଦ୍ର ଥୋକାଏ ଦୂର ମାଡ଼ିଅଇଲା l ଠାକୁରମାନଙ୍କୁ ସୁରକ୍ଷାଦେବା ସମ୍ଭବ ନ ହେବାରୁ ରାଜା ପରମେଶ୍ୱରଙ୍କୁ ନୌକା ରେ ବସାଇ ମହାନଦୀ ଜଳ ପଥରେ ସୋନପୁର ଆଡ଼େ ବିଜେ କରାଇଲେ l ତାହା ପରେ କଅଣ ହେଲା ଆମର ଜ୍ଞାତବ୍ୟ ନାହିଁ"l (ମାଦଳାପାଞ୍ଜି) ଯଯାତି କେଶରୀ ମହାରାଜା ସୋନପୁରକୁ ଆସି ସେଠାରେ ଖଣ୍ଡାୟତ ମାନଙ୍କୁ ପଚାରନ୍ତେ,ଠାକୁର ମାନେ ପାତାଳୀ ହୋଇଥିବା ସେମାନଙ୍କ ନିକଟରୁ ଶୁଣିଲେ l କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଠାକୁର ମାନେ ପାତାଳୀ ହୋଇଛନ୍ତି କେହି କହି ପାରିଲେ ନାହିଁ l ତତପରେ ଯଯାତି କେଶରୀ ଗୋପାଳୀ ଗ୍ରାମରେ ଲୋକଙ୍କୁ ପଚାରନ୍ତେ ସେମାନେ କହିଲେ ଠାକୁର କେଉଁ ଠାରେ ଅଛନ୍ତି ଆମର ଜ୍ଞାତବ ନାହିଁ l ମାତ୍ର ପାହାଡ଼ ଉପରେ ଥିବା ବରଗଛ ଗୋଟିକୁ ଆମର ବାପ ଅଜା ଅମଳରୁ ଦିଅଁ ବର ବୋଲି ପୂଜା କରି ଆସୁଅଛୁ l ପର୍ବ ପର୍ବାଣୀରେ ଆମର ବାପ ଅଜା ଫୁଲ,ଚନ୍ଦନ ଓ ଭୋଗରାଗ ଦେଇ ବର ଗଛଟିକୁ ଭକ୍ତି ସହକାରେ ପୂଜାକରି ସାଷ୍ଟାଙ୍ଗ ପ୍ରଣାମ କରି ଆସୁ ଥିବାର ଆମେ ଜାଣୁ l ଆମ୍ଭେ ମାନେ ମଧ୍ୟ ଆମର ବାପ, ଅଜାଙ୍କ ପଦାଙ୍କ ଅନୁସରଣ କରି ଆସୁଛୁ l ଏହା ଶ୍ରବଣ କରନ୍ତେ, ରାଜା ଯଯାତିଙ୍କ ମନରେ ସନ୍ଦେହ ହେଲା l ସେ ଗ୍ରାମବାସୀମାନଙ୍କ ସହ ଛଳିଆପାହାଡ଼ ଉପରକୁ ଯାଇ ସେ ଦିଅଁବର ବରଗଛଟିକୁ କଟାଇ ଗୁମ୍ପା ମୁହଁକୁ ଖନନ କଲାରୁ ସେଠି ତିନି ଠାକୁରଙ୍କୁ ପାଇ ଉଦ୍ଧାର କଲେ l ତିନି ଠାକୁରଙ୍କ ଜିର୍ଣ୍ଣ ଶୀର୍ଣ୍ଣ ମୂର୍ତ୍ତିଙ୍କୁ ଘେନି ପୁରୁଷୋତ୍ତମ ଶଙ୍ଖନାଭି କ୍ଷେତ୍ରରେ ଅଠତିରିଶ ହାତର ଦେଉଳ ତୋଳାଇ ପ୍ରଭୁ ପରମେଶ୍ୱରଙ୍କୁ ସେଠାରେ ବିଜେ କରାଇଲେ l ସେଥି ପାଇଁ ତାଙ୍କୁ ଲୋକେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କହିଲେ l ମାଦଳା ପାଞ୍ଜିରୁ ଜଣା ଯାଇଥାଏ ଯେ ମହାରାଜା ଯଯାତି କେଶରୀ, ସୋନପୁରରୁ ତିନି ଠାକୁରଙ୍କୁ ମହାନଦୀ ଜଳପଥରେ ନୌକାରେ ବସାଇ ପୁରୀ ପର୍ଯ୍ୟନ୍ତ ଘେନି ଆସିଥିଲେ l ଠାକୁରମାନଙ୍କୁ ଅଣା ଯାଇ ଥିବା ଡଙ୍ଗାକୁ କୋଶଳୀ ଡଙ୍ଗା ବୋଲି ସେ ଅଞ୍ଚଳର ଲୋକେ କହିଥାନ୍ତି l ଦେବସ୍ନାନ ପୂର୍ଣ୍ଣିମା ଦିନ କୋଶଳୀ ଡଙ୍ଗାରେ ମହାପ୍ରସାଦକୁ ଜଳରେ ରଖି ତାକୁ ବୈକୁଣ୍ଠ ତୋରାଣୀ ଭାବେ ଭକ୍ତମାନେ ପାନ କରନ୍ତି ଏବଂ ଆନନ୍ଦରେ ଗାଇ ଉଠନ୍ତି :-
କୋଶଳୀ ଡଙ୍ଗାରେ ବିଜେ ବଢ଼ିଲା l
କୋଟ ସମଲାଇ ତୀରଥ ହେଲା ll
ଡଙ୍ଗା ତୋରାଣୀରେ ମଇତ ଫଳ l
ବୈକୁଣ୍ଠକୁ ଗତି ମୁକତି ଜଳ ll
ଯଯାତି ଶ୍ରୀ ପୁରୁଷୋତ୍ତମ ଶଙ୍ଖ ନାଭି ମଣ୍ଡଳରେ ୩୮ ହାତ ଉଚ୍ଚ ପଟଳ ଦେଉଳ ନିର୍ମାଣ କରାଇ ଠାକୁର ମାନଙ୍କର ଯଥା ବିଧି ପୂଜା ଉପାସନାର ବ୍ୟବସ୍ଥା କରାଇଲେ ଏବଂ ଠାକୁରମାନଙ୍କର ନବ କଳେବର କରାଇ ବିଗ୍ରହ ମାନଙ୍କ ମଧ୍ୟରେ ବ୍ରହ୍ମ ସଂସ୍ଥାପନ ପୂର୍ବକ ଠାକୁର ମାନଙ୍କୁ ସିଂହାସନରେ ସ୍ଥାପନ କରାଇଲେ l ଏହି ରାଜାଙ୍କ ସମୟରୁ ହିଁ ଠାକୁର ମାନଙ୍କର ନବକଳେବର ପ୍ରଥା ପ୍ରଚଳିତ ହୋଇ ଆସୁଛି l ବିଭିନ୍ନ ସ୍ଥାନରୁ ଭକ୍ତ,ଗବେଷକ, ଐତିହାସିକ ଓ ଜଗନ୍ନାଥ ସଂସ୍କୃତିର ଅନୁସନ୍ଧାନ କରୁଥିବା ବ୍ୟକ୍ତି ମାନେ ଏଠାକୁ ଆସି, ଏ ଅଞ୍ଚଳ ବୁଲିଛନ୍ତି l ଅଧୁନା ମଧ୍ୟ ତ୍ରିକୂଟ ପାହାଡ଼ ଉପରେ ଥିବା, ସେ ଦାରୁକୋଣ ଗୁମ୍ଫାରୁ ସମୟ ସମୟେ ଶଙ୍ଖଧ୍ଵନୀ ଶୁଣାଯାଉ ଥିବା ଲୋକମାନେ କୁହନ୍ତି l ମହାପ୍ରଭୁ କୋଟସମଲାଇର ଏହି ଗୁପ୍ତ କ୍ଷେତ୍ରରେ ପାତାଳି ଲୀଳା କରିଥିବାରୁ ଏହା ଏବେ ପାତାଳୀ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ହୋଇଛି ଓ ମହାପ୍ରଭୁଙ୍କ ବିଗ୍ରହମାନେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି l