STORYMIRROR

Abhakanta None

Inspirational

2  

Abhakanta None

Inspirational

ପାଞ୍ଚାଳୀ କାନ୍ଦୁଛି

ପାଞ୍ଚାଳୀ କାନ୍ଦୁଛି

1 min
13.2K


-୧-

କାନ୍ଦୁଛି ପାଞ୍ଚାଳୀ ଆଜି ସଭ୍ୟତାର ସ୍ତମ୍ବକୁ ଆଉଜି

ସଂରକ୍ଷଣ ଚୁକ୍ତିନାମା ସ୍ଵାକ୍ଷର ସରିଛି

ଚହଟାଇ ଗରିମା ବାକ୍ୟରେ

ପ୍ରତି ଗ୍ରାମେ ପ୍ରତିଟି ସହରେ, ଗଳି, କନ୍ଦି ମୋଡେ

ଧୃତରାଷ୍ଟ୍ର ରାଜସଭା ଆଜିବି ଚାଲିଛି ।

ଦୁର୍ଯ୍ୟୋଧନ ଗର୍ବ ସୀମା ଶାସନେ ନିନ୍ଦୁଛି

ତେଣୁ ଆଜି ପ୍ରତିଟି ସଭାରେ

ବିବଶରେ ପାଞ୍ଚାଳୀ କାନ୍ଦୁଛି ।

-୨-

ଶତାବ୍ଦୀର ଗହ୍ବରରେ ଦ୍ବାପର ବିଲୟ

ଭକ୍ତ ନାହିଁ ଭକ୍ତିର ବି ହେଉନି ଉଦୟ

ଅସମ୍ଭବ ହୁଏ ଆଜି କଳ୍କୀ ଅଭ୍ୟୁଦୟ

ଶିଆଳୀ ଲଟାର ଶେଜେ କୃଷ୍ଣର ସେ ଶେଷ ଅଭିନୟ

କଳିରେ ଲକ୍ଷ୍ମଣ ରେଖା ସଜୋରେ ଟାଣୁଛି

ଭଗବତ୍ ଗୀତା କୃଷ୍ଣ ଆଜି ଧୂଆଁଳିଆ ଖାଲି

ପାଷାଣ ମନ୍ଦିରେ ଆଜି ପାଷାଣ ସାଜିଛି

ପୁରୋହୀତ ପରାକାଷ୍ଠା ପ୍ରତିପତ୍ତି ଚରଣ ବନ୍ଦୁଛି

ତେଣୁ ଆଜି ସ୍ଵାଭିମାନ ଅଧିକାର ପାଇଁ

ପ୍ରତି ପର୍ଯ୍ୟାୟେ ପର୍ଯ୍ୟାୟେ

ପାଞ୍ଚାଳୀ କାନ୍ଦୁଛି ।

-୩-

ଯୁଗପତ୍ କାମନାର ବିଷ୍ଫାରିତ ମୋଦେ

ପରାଶର ପରାକାଷ୍ଠା କୁଜ୍ଝଟୀକା ତୋଳେ

ମତ୍ସ୍ୟଗନ୍ଧା ଅପୂର୍ବ ଲାବଣ୍ୟ, ଆହୁତୀ ପାଥେୟ ସାଜେ

ଯୋଜନଗନ୍ଧାର ଅକଳ୍ପିତ ଛନ୍ଦେ

ବରିୟାନ୍ ବଂଶ ବର୍ଣ୍ଣସଙ୍କରେ ସଙ୍ଖୋଳେ

ଅବାନ୍ତରତା ଆବୋରେ ସାମାଜିକ ନ୍ୟାୟେ

"ଘରୁ ଖାଇ ଘୋଡା ଆଗେ ଡେଇଁବାର'' ଯୁକ୍ତି ଅଚିରେ କବୋଳେ

ଅକଳ୍ପିତ ଆଶା ତେଣୁ ଭବ୍ୟ ରୂପ ଢାଳେ

ନିୟମର ଆଶଙ୍କାଟା ବାହୁବଳୀ ବାହୁକୁ ବାନ୍ଧୁଛି

ଆସ୍ଫାଳନ ସ୍ବାଦୁ ଚାଖି

ଅସହାୟ ଅବଶରେ ପାଞ୍ଚାଳୀ କାନ୍ଦୁଛି ।

-୪-

ଲାଞ୍ଛିତା ପାଞ୍ଚାଳୀ ହୃଦେ ରଖିଲା ସାଇତି

ଦୃଢ଼ ଆଶା ବୃକୋଦର ପ୍ରଣେ

ଉଜୁଡାଇ ଉଦ୍ ବାର୍ଯ୍ୟ ଦୁଃଶାଶନ ଦମ୍ଭେ

ବିଚୁର୍ଣ୍ଣ କରିବ ଭୀମ ଦୁର୍ଯ୍ୟୋଧନ ମାନେ ।

ହେଲେ ପାରେନା ପାଞ୍ଚାଳୀ ଆଜି ଭରଷା ସାଉଁଟି

ଯଦିଓ ନିୟମ ଆଜି ପୁସ୍ତକେ ଶୋଭିତ,

କଳିକାଳେ ଜୀବନର ବୟସ ସୀମିତ ।

ନ୍ୟାୟ ନିର୍ଣ୍ଣୟ ଶିଖର ଆଜି ଅନିଶ୍ଚିତ

ପଇସାର ବଳ ସବୁ କରେ କରଗତ ।

ପ୍ରଲୋଭିତ ହୃଦୟର ଗଭୀରତମରେ

ଦୃଢ଼ତାକୁ ଆଶଙ୍କା ନିନ୍ଦୁଛି

ପ୍ରାପ୍ୟତାର ବୃକ୍ଷତଳେ ବସି

ଖାଲିହାତେ ପ୍ରତାରିତା.....

ପାଞ୍ଚାଳୀ କାନ୍ଦୁଛି ।

***************


Rate this content
Log in

Similar oriya poem from Inspirational