ପାଗଳୀ ମା'
ପାଗଳୀ ମା'
ଅକାରଣେ ତୁହି କାହିଁକି କାନ୍ଦୁଛୁ
କାହିଁକି ବା ପିଟୁ ମୋତେ
ପୁଣି କେତେବେଳେ ଅଟ୍ଟହାସ କରୁ
ଅବୁଝା ହୋଇଣ କେତେ ।
ଆଖିରୁ ଅନ୍ତର ହୋଇଛି ସିନା ଲୋ
ମନରୁ ତ ହୋଇ ନାହିଁ
ଯେଉଁ ଦିନ ଠାରୁ ଦୂରେଇ ଗଲି ମୁଁ
ପାଗଳୀ ପରାଏ ତୁହି ।
ଫେରି ମୁଁ ଆସିଛି ଈଶ୍ଵର ଦୟାରୁ
ସାଥେ ତୋର ଆଶୀର୍ବାଦ
ବେହୋସ ରାଇଜୁ ଫେରି ଆସି ମା
ଲିଭାଇ ଦିଏ ମୋ ଖେଦ ।
ସବୁ ଦୁଃଖ କଷ୍ଟ ସହି ପାରୁ ତୁହି
ନାମ ତୋ ସହନଶୀଳା
ସନ୍ତାନର ଯଦି ବଇରି ଦେଖୁ ତୁ
ହାତେ ଧରୁ ଅଗ୍ନି ହୁଳା ।
କେବେଠୁ ନାଇନୁ ମଥାରେ ତଇଳ
ଉଙ୍କୁଣି ପଡଇ ଝଡି
ଅଲରା କେଶ ତୋ ଖୋଲି ଦେଇଛି ଲୋ
ଯେତକ କଷଣ ପେଡ଼ି ।
ହାତେ ଲାଠି ନେଇ ଚାଲୁଛୁ ତୁହି ଲୋ
ପଣତ ଲୋଟୁଛି ତଳେ
ଦୁଷ୍ଟ ପିଲା କେତେ ପଛେ ଧାଇଁ ଛନ୍ତି
ଉପହାସେ ପୁଣି ଛଳେ ।
ତୋହରି କଷ୍ଟ ତ ସଂସାରରେ ନାହିଁ
କହିବି କାହାକୁ ଯାଇ
ସବୁ ଥାଇ ମୋତେ ଅନ୍ଧକାର ଦିଶେ
ସତେ ନିଶି ଆସେ ଉଇଁ ।
ଭୂଇଁରୁ କାହିଁକି ସାଉଁଟି ଖାଉଛୁ
ଖୋଇ ଦେବି ଥାଳି ଧରି
ଭଙ୍ଗା ବାସନରେ ଭିକ୍ଷା ତୁ ନକର
ଦୁଆର ଦୁଆର ଘୁରି ।
କାଠ କଣ୍ଢେଇକୁ ଲଗାଇ ଦେଉଛୁ
କେତେ ତୁ ହଳଦୀ ତେଲ
ତୋର ପୁଅ ଆଜି ବିଦେଶୁ ଆସିଛି
କରିଦେ ମା ' ଲୋ ଗେଲ ।
ମୁହଁକୁ ଚାହୁଁଛୁ ଅଚିହ୍ନା ପରିକା
ଭୟେ ଘଂଚୁ ଚାରି ହାତ
ଏତେ କି ଅଜଣା ତୋ ପାଶେ ହୋଇଲି
ମୁହିଁ ତୋ ଜନ୍ମିତ ସୁତ ।
ଆକାଶ ଚାନ୍ଦକୁ ଢେଲା ତୁ ମାରୁଛୁ
ଭାବୁଛୁ ପଡ଼ିବ ଖସି
ତୋ ସନ୍ତାନ କିବା ଚୋରାଇ ନେଇଛି
ସତେ କିଏ ସେ ଲୋ ଦୋଷୀ
ନାଲି ଫିତା ଦେଖି ଡେଇଁ ପଡୁ ତୁହି
କାହିଁକି ଭାବୁଛୁ ରକ୍ତ
କି ଅବା ହୃଦୟେ ଧରି ନେଇଛୁ ଲୋ
ଦୁର୍ଘଟଣାରେ ମୁଁ ମୃତ ।
କେମିତି କହିବି ତୋର ପ୍ରଭୁ ଭକ୍ତି
ବଞ୍ଚାଇ ଆଣିଛି ପାଶେ
ପାଗଳୀ ମା ତୁ ଫେରି ମୁଁ ଆସିଛି
ବହୁ ଦୂରୁ କେତେ ଆଶେ ।
ଯେଉଁ ଗୀତ ଗାଇ ମୋତେ ନିଦ୍ରା ଦେଲୁ
ସେ ଗୀତ ଗାଇବି ମୁଖେ
ନିଶ୍ଚିନ୍ତେ ଶୋଇବୁ ମୋ ଛାତିରେ ତୁହି
ଅତ୍ୟନ୍ତ ଆନନ୍ଦ ସୁଖେ ।
ସାକ୍ଷୀ ରଖିଲି ମୁଁ ଚନ୍ଦ୍ର ସୂର୍ଯ୍ୟ ତାରା
କର୍ତ୍ତବ୍ୟେ ନାହିଁ ମୋ ଊଣା
ଶ୍ରେଷ୍ଠ ସନ୍ତାନରେ ଗଣିତା ରହିବି
ସାଜି ତୋ ହୃଦ ଗହଣା ।
ଯେଉଁ ଦିନ ମୋତେ ହସି କରି ପଦେ
କହିବୁ ମିଠା ବଚନ
ସେ ଦିନ ଜାଣିବି ତୁହି ମୋର ମାତା
ମୁହିଁ ତୋ ରଙ୍କୁଣୀ ଧନ ।
