ଓଡ଼ିଆ ପୁଅ ପଠାଣି ସାମନ୍ତ
ଓଡ଼ିଆ ପୁଅ ପଠାଣି ସାମନ୍ତ
ବାଉଁଶ କାଠି ଦିଖଣ୍ଡଧରି
ଯା 'ପୁଅ ମାପେ ସରଗ ପୁରୀ
ସେହି ମାଟିକୁ ଛୁଇଁ
ଧନ୍ୟ ହେଲି ଧନ୍ୟ ହେଲି ଧନ୍ୟ ହେଲି ମୁହିଁ |1|
ଯେ ପୁଅ ପାଇ ଉତ୍କଳ ମାତା
ଗର୍ବଭରେ ଟେକିଲା ମଥା
ଡେଇଁ ଭାରତ ବର୍ଷ
ବିଶ୍ୱ ସାରା ପ୍ରସରିଗଲା ଓଡ଼ିଆ ପୁଅ ଯଶ |2|
ବେଦ ବେଦାନ୍ତ ଦର୍ଶନ ତତ୍ତ୍ୱ
ଗଣିତ ତର୍କ ଜ୍ୟୋତିଷ ଶାସ୍ତ୍ର
ସଂସ୍କୃତେ ଧୁରନ୍ଧର
ଅନ୍ଧାର ଘେରା ଗଡ଼ଜାତରେ ଉଇଁଲା ଦିନକର |3|
ସେ ତେଜ ଦେଖି ବିଜ୍ଞ ବିଦେଶୀ
ଅନୁସନ୍ଧାନେ ଧାଇଁଲେ ଆସି
ପରଖି ଜ୍ଞାନ ବଳ
ଭକତି ଭରେ ଚରଣ ତଳେ ନମିଲେ ବାର ବାର |4|
ସରଳ ଯନ୍ତ୍ର କଲେ ତିଆର
ଦୂରବୀକ୍ଷଣ ମାନିଲା ହାର
ବିଜ୍ଞାନ ଯୋଡ଼େ କର
ଖାଲି ଆଖିରେ ଗ୍ରହ ନକ୍ଷତ୍ର ଗତି କରିଲା ସ୍ଥିର |5|
ଛବିଶ ବର୍ଷ କରିଣ କଷ୍ଟ
ଲେଖି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ
ହେବନି ଯା'ର ଲୟ
ଯାବତ ସୂର୍ଯ୍ୟ ଚନ୍ଦ୍ରମା ଧରା ରହି ଥିବେଟି ଥୟ |6|
ଦୀପର ତଳ ଅନ୍ଧାର ପରି
ଆପଣା ଜନେ ହେଲେ ଭଗାରି
ଅଭାବେ ସଢ଼ି ସଢ଼ି
ପାର୍ଥିବ ଦୁଃଖ ପାଦରେ ଦଳି ଗଲା ସେ ବଢ଼ି ବଢ଼ି |7|
ଊନବିଂଶର ହୀରକ ହାର
ସୂର୍ଯ୍ୟଘଡ଼ି କଲା ତିଆର
ଗଣିତ ସୂତ୍ରକାର
ସାହିତ୍ୟ କ୍ଷେତ୍ରେ ଯା'ଅବଦାନ ଚିର ଅବିନଶ୍ଵର |8|
ଖଣ୍ଡପତ୍ତନ ଯୋଗ୍ୟ କୁମର
ହେଲେ ଭାରତେ ଦ୍ୱିତୀ ଭାସ୍କର
ମହାମହୋପାଧ୍ୟାୟ
ଉପାଧି ପାଇ ବିଶ୍ୱ ବିଜୟୀ ହେଲା ଏ ମାଟି ପୁଅ |9|
ନାମ ପଠାଣି ସାମନ୍ତ ଯା'ର
ସିଂହ ସାମନ୍ତ ଚନ୍ଦ୍ରଶେଖର
କୋଟିଏ ପ୍ରଣିପାତ
ତୁମ୍ଭରି ନାମେ ଉତ୍କଳ ବାସୀ ସରବେ ହେଲୁ ପୂତ |10|