ନୂପୁରର ମଧୁରାଗ
ନୂପୁରର ମଧୁରାଗ
ମୋ ପ୍ରେୟସୀର ପାଦଯୁଗେ
ଶବ୍ଦର ନୂପୁର
ରୁଣୁଝୁଣୁ ନିକ୍ବଣରେ
ତପସ୍ବୀର ଧ୍ଯାନଭଙ୍ଗ ହୁଏ,
ସ୍ବପ୍ନପରୀ ଭୂମିଠାରୁ
ଭୂମାଯାଏ ବ୍ଯାପ୍ତ
ନିମିଷକ ଗତିରେ ସେ
କଳ୍ପଲୋକେ ପହଞ୍ଚାଇଦିଏ ।
ମଦାଳସୀ ମଧୁଭାଷୀ
ବଚନର ମୃଦୁଳ ଝଙ୍କାରେ
ଅଭିଭୂତ କରେ ଦେହ ମନ,
ଭାବ-ନଗରୀର ପ୍ରଜ୍ଞାଯୁକ୍ତ
ଅତିନ୍ଦ୍ରିୟ ରାଜ୍ଯେ
କରାଉଥାଏ ମୁକ୍ତ ବିଚରଣ
କ୍ଷଣକରେ ସ୍ବର୍ଗ, ମର୍ତ୍ତ୍ଯ,
ତଳ, ରସାତଳ
ତା ଇଚ୍ଛାରେ ଘୂରାଏ,
ମୋ ପ୍ରେୟସୀର ପାଦଯୁଗେ
ଶବ୍ଦର ନୂପୁର
ରୁଣୁଝୁଣୁ ନିକ୍ବଣରେ
ତପସ୍ବୀର ଧ୍ଯାନଭଙ୍ଗ ହୁଏ ।
ଆନମନା ପ୍ରେୟସୀ ମୋ
ଅଲିଅଳୀ ସ୍ବପ୍ନମୟୀ
ଇନ୍ଦ୍ରଜାଲ ବିଦ୍ଯାରେ ଧୂରୀଣା,
କୁହୁକର ଭୋଜବାଜି କରି
ମରୁବୁକେ ସୃଷ୍ଟିକରେ
ଆକାଂକ୍ଷିତ ଜଳର ଝରଣା
ନିଷ୍ଠୁରକୁ ଅଣାୟତ୍ତ ଭାବେ
ଭସାଇ ନେଇପାରେ
ଦିଶାହୀନ ଆବେଗର ସୁଏ ।
ମୋ ପ୍ରେୟସୀର ପାଦଯୁଗେ
ଶବ୍ଦର ନୂପୁର
ରୁଣୁଝୁଣୁ ନିକ୍ବଣରେ
ତପସ୍ବୀର ଧ୍ଯାନଭଙ୍ଗ ହୁଏ ।
ନୁହେଁ ସେ ରମ୍ଭା ମେନକା
ଉର୍ବଶୀ ବା ସରଗ ଅପ୍ସରୀ
ସୌନ୍ଦର୍ଯ୍ୟର ନାହିଁ ତା ଉପମା,
ଜିଣିପାରେ ସଭିଙ୍କର ହୃଦୟ ସାମ୍ରାଜ୍ୟ
ସାବଲୀଳ କରିଦିଏ ଜୀବନର ଧାରା
ଭରିଦିଏ ଲଳିତ ସୁଷମା,
ସମଗ୍ର ଏ ଜୀବନର ସତ୍ତା ମୋର
ତା ନୂପୁରର ମଧୁ ରାଗେ
ରସୋତ୍ତୀର୍ଣ୍ଣ ହୁଏ
ମୋ ପ୍ରେୟସୀର ପାଦଯୁଗେ
ଶବ୍ଦର ନୂପୁର
ରୁଣୁଝୁଣୁ ନିକ୍ବଣରେ
ତପସ୍ବୀର ଧ୍ଯାନଭଙ୍ଗ ହୁଏ ।