STORYMIRROR

Ramesh Chandra Mishra

Others

3  

Ramesh Chandra Mishra

Others

କିଏ କିଏ ଏହି ଆଗନ୍ତୁକା !

କିଏ କିଏ ଏହି ଆଗନ୍ତୁକା !

1 min
26.5K


ଅନ୍ଧାରରେ ଏବେ ଏବେ

କିଏ ଜଣେ ରୁକ୍ଷକଣ୍ଠା

ହେଣ୍ଟାଳ ଛାଡୁଛି

ସାବଧାନ୍ ସାବଧାନ୍ ଚିତ୍କାରରେ

କାନ ଅତଡା ପଡୁଛି

ଦୁନିଆଯାକର ଭୟ ବିନା କାରଣରେ

ଛାତି ତଳେ ଜମାଟ ବାନ୍ଧୁଛି

ହାଉଳି ଖାଇ ଶେଯରୁ ଉଠୁଛି

ନିଦ ଭାଙ୍ଗୁଅଛି ।

ପତଳା ନିଦର ଚାଦର ଭିତରେ

କାହାର କେଜାଣି

ହିମ ଶୀତଳ କଅଁଳ ହାତଟା

ସାପ ଗୁଡେଇ ହେଲା ଭଳି

ଅଣ୍ଟା ଚାରିପାଖେ ଗୁଡେଇ ହେଉଛି

ତା ବରଫ ଛାତିରେ ଭିଡି ଧରି

ଗୋପନ ପ୍ରେମିକା ଭଳି

କାନ ତଳେ ଫିସ୍ ଫିସ୍ କହୁଛି

ମୋ ଜୀବନ ଯାକ କଲା କର୍ମର

ହିସାବ ମାଗୁଛି,

ବାଉଳି ହେବାକୁ ବିବଶ କରୁଛି ।

ଏ ତ ନୁହେଁ ମୋ ସ୍ବପ୍ନସୁନ୍ଦରୀ

କଳ୍ପନା ମହଲର

ଜରି ଶାଢୀ ପିନ୍ଧା ମହାରାଣୀ

ଏ ତ ନୁହେଁ ମୋ କାମନାର ଶତଦଳ

ହୃଦୟର ମଣି

କିଏ ଏହି ଆଗନ୍ତୁକା

ଅନାହୂତ ଅବାଞ୍ଛିତ

ଘନକୃଷ୍ଣ ରାତ୍ରୀର ନାୟିକା

କଜ୍ଜ୍ଵଳ ବରଣା ପୁଣି ଘନ କୁଜ୍ ଝଟିକା ?

ଅପ୍ରତିଭ, ହତଭମ୍ବ କରେ ମୋତେ

ମୋ ମଥାରେ ପିନ୍ଧାଇବାକୁ

କଳଙ୍କର ଟୀକା ।

ରମେଶ ଚନ୍ଦ୍ର ମିଶ୍ର

ତାପସ କୁଟୀର, ସମ୍ପାଦକ,

ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ।


Rate this content
Log in