କାହାକୁ କହିବି
କାହାକୁ କହିବି
କାହାକୁ କହିବି
ରମେଶ ଚନ୍ଦ୍ର ମିଶ୍ର
କାହାକୁ କହିବି ଆଉ
କାହିଁକି କହିବି
ଏତେ ଦୁଃଖ କାହିଁକି ଦଉଚୁ
ମୁଠା ମୁଠା ଅଗ୍ନିକଣା
ଗ୍ରହ ଗ୍ରହାନ୍ତରୁ ଆଣି
ହୃଦୟ ଦହୁଚୁ
ଜୀବନର ପ୍ରତି ପଦେ
ଏ କେଉଁ ଶୃଙ୍ଖଳ
ଅକ୍ଟୋପାଶ୍ ପରି ଛନ୍ଦିଦିଏ
ମୁକୁଳିବାକୁ ଚେଷ୍ଟା କଲେ
ଆହୁରି ଯୋର୍ ରେ
କଷି ହୋଇ ବାନ୍ଧିହୋଇଯାଏ ।
ପ୍ରତିରୋଧ ପାଇଁ ତୁଣ୍ଡୁ
ସବୁ ଭାଷା,
ଚୋରାଇ ନେଇଚୁ
କାହାକୁ କହିବି ଆଉ
କାହିଁକି କହିବି
ଏତେ ଦୁଃଖ କାହିଁକି ଦଉଚୁ
କେଉଁ ଜନ୍ମ ଜନ୍ମାନ୍ତର
ମହାପାପ ଫଳେ
ଆସିଛି ମୁଁ ଏ ଧରାକୁ ଧାଇଁ
ପ୍ରାୟଶ୍ଚିତ ମହାଯଜ୍ଞ
ଆଉ କେତେ ବାକି
ଏଯାଏଁ କି ପୂର୍ଣ୍ଣ ହୋଇନାହିଁ
ତେବେ କିଆଁ ସବୁ ପାପ
ଅନୁତାପ ଧୁଏ
ମିଛଟାରେ ପ୍ରଚାର କରିଚୁ
କାହାକୁ କହିବି ଆଉ
କାହିଁକି କହିବି
ଏତେ ଦୁଃଖ କାହିଁକି ଦଉଚୁ
ତୁ ତ ଅନ୍ତରେ ଥାଇ
ଭାବନା ଜନ୍ମାଉ
ମୋହ ମାୟା ପାଶ କାଟିବାକୁ
ମନ ବୁଦ୍ଧି ଦୃଢ କରି
ଶକ୍ତି ଓ ସାହସ
ହେଳାକରୁ କାହିଁକି ଦେବାକୁ
ପାର୍ଥିବ ବସ୍ତୁରେ ମୋର
କାମନା ତ ନାହିଁ
ଶକ୍ତି ଦେଏ ଆଉ କି ଭାବୁଚୁ
କାହାକୁ କହିବି ଆଉ
କାହିଁକି କହିବି
ଏତେ ଦୁଃଖ କାହିଁକି ଦଉଚୁ ।
