STORYMIRROR

Ramesh Chandra Mishra

Others

2  

Ramesh Chandra Mishra

Others

କାଳିଆକୁ ପଦିଏ ପ୍ରଶ୍ନ

କାଳିଆକୁ ପଦିଏ ପ୍ରଶ୍ନ

1 min
13.7K



ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର

------------------------

କାଳିଆ ରେ!

ମୁହଁ ଖୋଲି ତୋତେ

କେବେ କିଛି ମାଗେନାହିଁ ବୋଲି

ତୁ କିଆଁ ଭାବିନେଇଛୁ-

ମୋର କିଛି ମାଗିବାର ନାହିଁ,

ନମାଗିଲେ ବି ତୁ

ଯାଚିଯାଚି ଦେଉ ବୋଲି ତ

ସଂସାର ଲୋକେ ତୋତେ

ଆଦରେ କହନ୍ତି

ତୁ କୁଆଡେ ଭକ୍ତ ଭାବଗ୍ରାହୀ ।

ତୋ ହିସାବରେ

ମୁଁ କଣ ତୋର ଭକ୍ତ ନୁହେଁ ?

କାମନାହୀନ ସମର୍ପଣ ଭାବ

ତୁ ଚାହୁଁ ବୋଲି ତ

ସେଇ ଭାବରେ

ମୁଁ ନିତି ଅବଗାହେ ।


କେତେ ଆଉ ଜଳାଇବୁ- କନ୍ଦାଇବୁ

ପରୀକ୍ଷା ତୁ ନେବୁ,

ତୋ ମନର ଓରିମାନା

କେବେରେ ମେଣ୍ଟିବ ?

ଚରୈବତି ମନ୍ତ୍ର ଶୁଣି ଶୁଣି

କାନ ମୋର ବଧିରା ହେଲାଣି

ହାତ- ପାଦ- ତନୁ- ମନ

ଅସାଡ ହେଲାଣି

ଦ୍ବାରକାର ନଭଶ୍ଚୂମ୍ବୀ ପ୍ରାସାଦ

କେବେ ପହଞ୍ଚିବ ?

ନଇଁଆସେ ସାହାହ୍ନର ରବି

ସୁଖ ତ ନମିଳୁ ପଛେ

ମୋ ମାଗିବା ମୋ ପାଖରେ ଥାଉ

ଦେଖା ତୋର ଅପରୂପ ଛବି ।


କାଳିଆ ରେ !

ମନର ଯମୁନା ମୋର

ବହେ ଆଜି ଉଜାଣି ଢଙ୍ଗରେ

ଅସୁମାରି ପ୍ରଶ୍ନର ଗହଳି ଜମୁଛି-

କାହିଁକି ଆସିଛି ମୁହିଁ

ତୋର ଏଇ ପ୍ରିୟ ରଙ୍ଗମଞ୍ଚେ

ଯେବେ ମୋ ଅଭିନୟ ନିଭାଇ ପାରୁନି

ଇଚ୍ଛା ମାତ୍ର ମନମଧ୍ୟେ ସାର ।

ମାନୁଛି ମୁଁ,

ଖିଆଲ ତୋ ଭାଙ୍ଗିବା ଗଢିବା

ତା ଭିତରେ ସୃଜନର ଶଙ୍ଖନାଦ ହୁଏ ବୋଲି

ଏ ଚିରନ୍ତନ ସତ୍ୟକୁ କଣ ଏଡେଇ ଚାଲିବା ?

ଜୀବ ଦେଲୁ, ଉଦ୍ଦେଶ୍ୟ ବି ଦେଲୁ

ସୁଖର ବେଳକୁ କିଆଁ ବାମନ ସଜାଇ

ଦୁନିଆରେ ହନ୍ତସନ୍ତ କଲୁ ?

କହିବିନି କହିବିନି ଯେତେ ଭାବିହୁଏ

କାଳିଆ ରେ ?

ତୋତେ ଆପଣାର ଭାବେ ବୋଲି ତ

ଆପେ ଆପେ ତୁଣ୍ଡ ଖୋଲିଯାଏ ।

ଆପେ ଆପେ ତୁଣ୍ଡ ଖୋଲିଯାଏ ।


ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ।

ସମ୍ପର୍କ-୯୪୩୮୪୮୧୧୩୬


Rate this content
Log in