STORYMIRROR

Ramesh Chandra Mishra

Others

3  

Ramesh Chandra Mishra

Others

ସାହାପକ୍ଷ ହୁଅ

ସାହାପକ୍ଷ ହୁଅ

1 min
13.6K


ଆସିବୁ ଯଦି ଆସ ମାଆ

ଆଉ କିଆଁ ବିଳମ୍ବ କରୁଛୁ ?

ରକ୍ତବୀର୍ଯ୍ୟ ବଦଳରେ

ଏବେ ମାତିଛନ୍ତି ଲମ୍ପଟବୀର୍ଯ୍ୟମାନେ

ଆଉ କାହାକୁ ଯେ ଅପେକ୍ଷା କରୁଛୁ ?

ମଣିଷ ଭିତରେ ମହିଁଷର ବିକଟ ହେଣ୍ଟାଳ

ଭୀତତ୍ରସ୍ତ, ଅସ୍ତବ୍ୟସ୍ତ ଧରାବାସୀ ଦେବତା ମାନବ

ତୋତେ ସୁମରଣା କଲେ ବୋଲି ଯଜ୍ଞ ହୋମାନଳୁ

ଅନଳର କାନ୍ତି ନେଇ ହୋଇଥିଲୁ

ଯଜ୍ଞରୁ ଉଦ୍ଭବ ।

ସନ୍ତାନର ଅତ୍ୟାଚାର କେମିତି ଯେ ସହିଥାନ୍ତୁ ତୁହି ?

ମହାକ୍ରୋଧେ ତୁ ପରା ହେଲୁ ବିବଶନା

ନାଶିବାକୁ ରକ୍ତବୀର୍ଯ୍ୟ କ୍ରୋଧାନଳୁ

ସମ୍ଭାଇଲୁ ଅଙ୍ଗୁ ମହାକାଳୀ

ଖଣ୍ଡା, ଖର୍ପର ହସ୍ତରେ ଉନ୍ମତ୍ତ ତୁ

ହୋଇଥିଲୁ ଭୟଙ୍କର ବିଲୋଳ ରସନା ।

ସେଇ ସ୍ମୃତିକୁ ପାଥେୟ କରି

ଏ ଧରାର ମାନବ ଦେବତା

ଆବାହନ କରୁଛନ୍ତି ପ୍ରତିବର୍ଷ ତୋତେ ଆଦରେ

କ୍ଷୟ ହୋଇନାହିଁ ରକ୍ତବୀର୍ଯ୍ୟ ମାଆ

ଆଜି ତା'ର ନବରୂପ ଲମ୍ପଟବୀର୍ଯ୍ୟ ସହସ୍ର ସଂଖ୍ୟାରେ

ଲୁଟି ଚାଲିଛନ୍ତି ଧନ, ମାନ, ନାରୀର ସଂଭ୍ରମ

ଛଦ୍ମବେଶେ ଗ୍ରାମେ, ନଗ୍ରେ, ଭିତରେ, ବାହାରେ ।

ବିଳମ୍ବ ହେଉଛି ମାଆ,

ଅତ୍ୟାଚାର ସୀମା ଟପିଲାଣି,

ପଙ୍ଗପାଳ ଭଳି ଲମ୍ପଟବୀର୍ଯ୍ୟେ ଚରି ଚାଲିଛନ୍ତି

କଅଁଳ କଳିକା ଭଳି ଅଜ୍ଞାନ ବାଳିକାଠାରୁ

ଅଶୀତିପର ଲୋଳଚର୍ମ ବୃଦ୍ଧା

ଅତ୍ୟାଚାରେ ଅତିଷ୍ଠ ହେଲେଣି ।

ପାର୍ବଣର ଏ ମାନସ ଯଜ୍ଞାନଳୁ

ହୁଅ ମାଆ ଆବିର୍ଭୂତା ହୁଅ

ତୁ ପରା ଦୟାମୟୀ ସନ୍ତାନ ବତ୍ସଳା

ତୋ ଅଭୟ ପଣତ ବଢାଅ

ବିଧ୍ଵଂସୀ ପାପର ଭାରା

ଶାନ୍ତିରେ ବଞ୍ଚିବା ପାଇଁ ସାହାପକ୍ଷ ହୁଅ ।

ରମେଶ ଚନ୍ଦ୍ର ମିଶ୍ର

ସମ୍ପାଦକ,

ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,

ଅନୁଗୋଳ ।

ମୋ- ୯୪୩୮୪୮୧୧୩୬


Rate this content
Log in