ନନ୍ଦିଘୋଷ ତୁମ ଅଟକିଛି
ନନ୍ଦିଘୋଷ ତୁମ ଅଟକିଛି
ତୁମ ରଥ ଅଟକି ଯାଇଛି
ନନ୍ଦିଘୋଷ ଶୂନ୍ୟ ପଡିଅଛି
ଅପେକ୍ଷା କି ଶାଲବେଗକୁ
ଅଥବା ବଳରାମ ଦାସଙ୍କୁ
ଅଥବା କେଉଁ ଦାଦନ ଶ୍ରମିକଙ୍କୁ
ମନ ନାହିଁ ଦେଖିବାକୁ କରୋନାର ଲେଲିହାନ ଜିହ୍ବା
ଚାଟି ଯାଉଛି ବର୍ତ୍ତମାନ ଓ ଭବିଷ୍ୟତ
ଚତୁର୍ଦିଗ ରକ୍ତ ଆଉ ରକ୍ତ
କୁଢ କୁଢ ଶବର ଶୋଭାଯାତ୍ରା
ତୁମର ଅସ୍ତିତ୍ବକୁ ଆହ୍ବାନ ଦେଉଛି
ଦେଖ, ମୁଁ ସବୁଠୁ ବଳୀଆନ୍ ।
ତମେ ମୁରୁକି ହସୁଛ
ଘରେ ଘରେ ପୁରେପୁରେ
ବିରାଜିଛ ପ୍ରାର୍ଥନା ଓ ନାମ ସଂକୀର୍ତ୍ତନେ
ପିତା ମାତା ପୁତ୍ର କନ୍ୟା ନାତିନାତୁଣୀଙ୍କ ନିବିଡ ବନ୍ଧନେ
ବାନ୍ଧୁଅଛ ଭାଙ୍ଗି ଯାଇଥିବା
ସମ୍ପର୍କର ସୂକ୍ଷ୍ମ ରଜ୍ଜୁଟିକୁ
ବୋଧହୁଏ ଆବଶ୍ୟକ ଥିଲା
ଅତିବେଗରେ ଦୌଡୁଥିବା ମନୁଷ୍ୟର
ଅତିଦର୍ପରେ ଅନ୍ଧ ମନୁଷ୍ୟର
ପଦପଦବୀଧାରୀ ମୂର୍ଖ ମନୁଷ୍ୟର
ତମ ନନ୍ଦିଘୋଷ ଶୂନ୍ୟ ପଡିଛି
ଘରେଘରେ ଦେହୀ ରଥ ପରେ
ବିରାଜିଛ ଆତ୍ମା ଜଗନ୍ନାଥ
ଋତୁ ଜଗନ୍ନାଥ ଆଉ ପଥ ଜଗନ୍ନାଥ
ଜଡ ଓ ଚେତନ ଗଗନ ପବନ ସବୁଠାରେ ବିରାଜିଛ ତୁମେ କରୋନା ତୁମରି ସୃଷ୍ଟି
ତୁମଇଚ୍ଛା ମନୋବାଞ୍ଛା ଫଳବତୀ ହେଉ ,
ହେଉ ପୂର୍ଣ୍ଣ କେତେ ଇତିହାସ, ଇନ୍ଦ୍ରପ୍ରସ୍ଥ ଓ
ହସ୍ତିନାପୁର
ଲୀନ ବିସ୍ମୃତି ଗରଭେ
ଇଏ ବି ସେମିତି ଇତିହାସ ପାଲଟିବ
ମୋଗଲ କି ମରହଟ୍ଟା କି ଇଙ୍ଗ୍ରେଜ ଆକ୍ରମଣ ନୁହେଁ
ଅଦୃଶ୍ୟ ଭୂତାଣୁଟିଏ ଅଟକାଇଦେଲା ନନ୍ଦିଘୋଷ
ଲକ୍ଷ କୋଟି ହୃଦୟର ଆକୁଳ ପ୍ରାର୍ଥନା ଫଳବତୀ ହେବନାହିଁ ଅଦ୍ଭୁତ ଚକ୍ଷୁରେ ତୁମ
ମିଶିବନି ଭକ୍ତ ଚକ୍ଷୁ ଲୁହ ସେଥିପାଇଁ ଅଭିମାନ ହେ ମାନଭଞ୍ଜନ
ତବଇଚ୍ଛା ପୂର୍ଣ୍ଣହେଉ ଦାରୁବ୍ରହ୍ମ
ହେଉ ପୂର୍ଣ୍ଣ ଇଚ୍ଛା ପ୍ରଭୁ ତୁମ ।