ହେ କୃଷ୍ଣ ମଧୁସୂଦନ
ହେ କୃଷ୍ଣ ମଧୁସୂଦନ
ହେ କୃଷ୍ଣ ମଧୁସୂଦନ
ବାସୁଦେବ ଜନାର୍ଦ୍ଦନ
ଶିହରିତ କଦମ୍ବର ରୋମାଞ୍ଚ କମ୍ପନ
ବିଚ୍ଛୁରିତ ଆକାଶ ପବନ
ତୁମ ପାଦ ପଡିବା ମାତ୍ରକେ
ସାରା ପବନରେ ବଂଶୀ ଉତ୍ତାଳ ତରଙ୍ଗ ତୋଳେ
ସମର୍ପିତା ରାଧାରାଣୀ ହୁଏ ଆନମନା
ଦୁଇବାହୁ ଉଠିଯାଏ ଆକାଶକୁ
ସଖୀ କୃଷ୍ଣାଙ୍କର
ଯୋଗକ୍ଷେମ ଭାର ବହନର ପ୍ରତିଶ୍ରୁତି ମିଳିଯାଏ
ତୁମର ସେ ସମ୍ମୋହନ ବିଚିତ୍ର ହସରେ
ତ୍ରିଶଙ୍କୁରେ ସମୟ ଅଟକେ
ପାଦର ଅଳତା ଆଉ ଆଖିର କଜ୍ଜ୍ବଳ
ବେଠିକଣା ହୋଇଯାଏ ବିଳମ୍ବିତ ରାତ୍ରୀର ପହରେ
କେଉଁ କୁଞ୍ଜବନେ ଅପେକ୍ଷାରତ
କଦମ୍ବ ମୂଳରେ ଜଣେ
ଆନନ୍ଦର ଅସରନ୍ତି ବିସ୍ମୟ ଅସୀମ
ସମ୍ମୋହିତ ଦେହ ମନ ଆତ୍ମା
ସକଳ ଅପ୍ରାପ୍ତି ମଧ୍ୟେ ଏକ ମାତ୍ର ପ୍ରାପ୍ତି ତୁମେ
ପଞ୍ଚମ ତାନରେ ଝଙ୍କାର ତୋଳିଛ
ଭସାଇ ନେଇଛ ଅବା ପୂର୍ବ କାଳ ପରକାଳ ଇହକାଳ ସବୁ
ମାଦକତା ଭରି ବଂଶୀସ୍ବନେ
ଗୀତାର ପ୍ରବକ୍ତା ଆଉ
ବିଷାଦଯୋଗରୁ ମୁକ୍ତ କରି
ଅର୍ଜୁନକୁ ମାଧ୍ୟମ ବନାଇ
ମାନବରୁ ମାଧବକୁ ଉତ୍ତରିତ କଲ
ହେ କୃଷ୍ଣ ମଧୁସୂଦନ
ବାସୁଦେବ ଜନାର୍ଦ୍ଦନ
ଆତ୍ମାର ସ୍ପନ୍ଦନ ତୁମେ ଅମୃତ ପ୍ଳାବନ ।
ନାଚିନାଚି ଆସୁଥାଅ କାଳାନ୍ତର ଯାଏ ଭରିଦେଇ ସୁମଧୁର ଜୀବନ ସଙ୍ଗୀତ