ନମସ୍ୟା
ନମସ୍ୟା
ଅରି ନାହିଁବୋଲି ଅଟୁ ତୁହି ନାରୀ
ଭବ ସଂସାରର ପରୀ,
କେଉଁ ଜବା ଦେଇ ପୁଜିଲେ ପୟର
ବାଣ୍ଟିବୁ ମା ସ୍ନେହଁ ଝରି ॥
ତୁହି ମା ଜନନୀ ତୁହିତ ଭଗିନୀ
ତୁହିତ ବୋଲାଉ ଜାୟା,
ତୁହି ନାରାୟଣୀ ଲକ୍ଷ୍ମୀ ଠାକୁରାଣୀ
ଜନ୍ମଦାତ୍ରୀ ଯୋଗମାୟା ॥
ସ୍ନେହଁର ଝରଣା ଫଗୁଣର ଫଗୁ
ଧାରଣାରେ ତୁ ଧରିତ୍ରୀ,
ରକ୍ଷାର କବଚ ତୋ ବାଣୀର ବଚ
ଶତୃପାଇଁ କାଳରାତ୍ରୀ ॥
ତୋ ମୁଖରେ ଫୁଟେ ଅତସୀ କମଳ
ତୋ କାନିରେ ଫୁଲ ଶେଯ,
ତୋହରି ପରଶେ ଦୁଃଖକଷ୍ଟ ହସେ
ନୟନେ ଉଏଁ ସୁରୁଜ ॥
ତୋ ବକ୍ଷ ଧରଜେ ବଇଶାଖି ହଜେ
ଗୁଣି ହଜେ ଗୁଣ ଗାଇ,
ତୋର ପୃଷ୍ଟଦେଶେ ବଜ୍ର ନଇଁଆସେ
ତୋ ହୃଦୟ ଗଂଗା ନଈ ॥
ତୋ ବାହୁ ଯୁଗଳେ ଶତ ସିଂହବଳ
ଅଭୟ ଦାୟିନୀ ନାମେ,
ଯୁଗେ ଯୁଗେ ତୁହି ଶତୃକୁ ଆଦରି
ଶିକ୍ଷା ଦେଉ ଧରାଧାମେ ॥
ତୁହି ମା ପ୍ରଳୟ ତୁହି ମା ଆଳୟ
ତୁହି ମା ପ୍ରେମ ମଳୟ,
ତୋର ଆଶୀର୍ବାଦ ଢାଳୁଥାଆ ମାଆ
ଦୁରେ ଯାଉ ବରାଭୟ ॥
