STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ନିସ୍ତବ୍ଧ ସହର

ନିସ୍ତବ୍ଧ ସହର

2 mins
197


ସଦା ମୁଖର ସହରରେ ଆଜି ଲାଗିଛି କର୍ଫ୍ୟୁ

ରକ୍ତମୁଖା ପ୍ରାଣଘାତୀ ଭୂତାଣୁ ଭୟରେ

ଗହଳଚହଳ ଛକ ବଜାରରେ ପୋଲିସର ପଇଁତରା

ଅମାନିଆ ଯୁବାର ଆହ୍ବାନରେ ନାହିଁ ନଥିବା

ହିନସ୍ଥା ଭୋଗୁଛି ପ୍ରଶାସନିକ ବ୍ୟବସ୍ଥା

ସଭିଏଁ ବନ୍ଦୀ ଆପଣା ଆପଣା ଗୃହରେ

ମୁକ୍ତ ବାୟୁ ପାଲୋଟିଛି ଦୂରନ୍ତ ସ୍ଵପ୍ନ

ଗଣୁଛନ୍ତି ଦିନ ଅହେତୁକ ଦୁଶ୍ଚିନ୍ତାରେ!!

ବିତର୍କ ଚାଲିଛି ଜାତୀୟସ୍ତରରେ

କାହାର ଅପାରଗତା ଅବା ଦୂରଦୃଷ୍ଟିର ଅଭାବ

ସ୍ବେଚ୍ଛାଚାର ଅବା ଊଚ୍ଛୃଙ୍ଖଳତାର ଫଳ

ଏଇ ମହାମାରୀର ତରଙ୍ଗାୟିତ ସ୍ରୋତ

ବିନା ନିଷ୍କର୍ଷରେ ବିନା ସମାଧାନରେ

ଦୋଷ ଲଦି ଆଉ କାହା ମୁଣ୍ଡରେ

ଖସିଯିବାର ଚକ୍କରରେ ସଭିଏଁ

ମୁଣ୍ଡ ପରେ ମୁଣ୍ଡ ଗଡୁଛି ଅବାଧରେ

ଦିନକୁ ଦିନ ଆଶଙ୍କା ବଢୁଛି ମନରେ !!

ଜୀବନ ଯୁଝୁଛି ଆମ୍ବୁଲାନ୍ସ ଛାତିରେ

ରାସ୍ତାଘାଟରେ ବାରଣ୍ଡାରେ

ଆଉ ଅମ୍ଳଜାନର ଆଶ୍ରାରେ

ଡାକ୍ତରଖାନା ଭର୍ତ୍ତି କୁଢକୁଢ ଶବରେ

ଶ୍ମଶାନ ଘାଟରେ ଅହର୍ନିଶି ଲାଗିଛି ମେଳା

ଜମିଛି ଭିଡ଼ ମୋକ୍ଷ ପ୍ରାପ୍ତିର ଆଶାରେ

ଆସ୍ଥାର ମହାକୁମ୍ଭ ସତେ ନେବ ଧୋଇ

ସବୁ ପାପ ପ୍ରାରବ୍ଧ ଜନ୍ମାନ୍ତରର

ମିଳିଯିବ ମୁକ୍ତି ଏଇ ମର୍ତ୍ତ୍ୟ ଲୋକରୁ!!

ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ଗଣିତକୁ

ବୁଝି ବି ସଭିଏଁ ବେପରୁଆ

କିଏ ହାରେ ପ୍ରାଣ ଆନ ଲାଗି

ହସି ହସି ଆକାତରେ

ତ ଆଉ କିଏ ଆନକୁ ହରାଏ

ଅଜାଣତରେ ସଂକ୍ରମିତ କରି

ଜୀବନର ଏଇ ମହାଯୁଦ୍ଧରେ !!

ଭାଗ୍ୟର ବିଡ଼ମ୍ବନା ଅବା ଜାତିର ଦୁର୍ଗତି

ରାଜନୀତିର ମୈଦାନରେ ଚାଲିଛି

ଶ୍ରେୟ ନେବାର ପ୍ରତିସ୍ପର୍ଦ୍ଧା

ଆରୋପ ପ୍ରତ୍ୟାରୋପ କାଦୁଅ ଫିଙ୍ଗା

ପରସ୍ପରର ଗୋଡ଼ ଟଣାଟଣିରେ

ଉହ୍ୟ ରହିଯାଉଛି ପ୍ରମୁଖ ପ୍ରସଙ୍ଗ

ବିନା ଅଦାଲତର ଦଖଲ ଭର୍ତ୍ସନା

କଟୁ ଟିକାଟିପ୍ପଣୀ ପରେ ବି

ଆସୁନି ସୁଧାର ସ୍ବାସ୍ଥ୍ୟସେବାରେ!!

ସମ୍ଭ୍ରାନ୍ତ ବର୍ଗ ଆଜି ପଳାୟନ ପନ୍ଥୀ

ହେଉଛନ୍ତି ଦେଶାନ୍ତରୀ ମଉଜ କରିବାକୁ

ଗରିବଗୁରୁବା ଭୋକରେ ଆଉଟୁପାଉଟୁ

ଆଉ ମଧ୍ଯବିତ୍ତ ବିଚରା ଡହଳବିକଳ

ଜୀବନ ଜୀବିକାର ଦୋଘାଇରେ

ଶାସକଙ୍କ ଉପରେ କିଛି ବି ଫରକ ପଡୁନାହିଁ

ପଡନ୍ତା ବା କେମିତି?

ସେ ତ ପାଲଟିଛନ୍ତି ଦୃଷ୍ଟି ବାଧିତ

ସଂଖ୍ୟାଗରିଷ୍ଠତାର ଅହମିକାରେ !!

ଏଠି ଜୀବନର ମୂଲ୍ୟ ଗୌଣ

ସଂଖ୍ୟାର ଗାଣିତିକ ଖେଳ ମାତ୍ର

ଭୋଟ୍ ବ୍ୟାଙ୍କରେ ଜମା ବୃଦ୍ଧି

ହେବା ନିତାନ୍ତ ଜରୁରୀ

ସହାନୁଭୂତି ସମର୍ଥିତ

ଆଶାବାଡ଼ିର ସାହାରାରେ

ଶାସିତ ମରୁଥାଉ ଚିରଦିନ

ପ୍ରତାରଣାର ମରୁବାଲିରେ

ଶାସକ ବ୍ଯସ୍ତ ଅଛନ୍ତି

ଆଗାମୀ ନିର୍ବାଚନର ପ୍ରସ୍ତୁତିରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy