STORYMIRROR

Upendra prasad Mahala

Inspirational

3  

Upendra prasad Mahala

Inspirational

ନିଶାରେ ମକରା

ନିଶାରେ ମକରା

2 mins
224


ବିଚରା ମକରା ଆଜି କାନ୍ଦୁଛି
ପିଲାଙ୍କ ଭଳି ସୁଁ ସୁଁ ହେଉଛି 
ଛାତିରେ ଚାପି ରଖିଥିବା 
ଦୁଃଖ ହନ୍ତାଳି ହେଉଛି ।
ଆଉ କେତେ ସହିଥାନ୍ତା।
ଲୁଚିଲୁଚି ଭାଟିକୁ ଯାଇ 
ଦି' ଗ୍ଲାସ ମହୁଲି ପିଇଦେଇଛି 
ନିଶାରେ କାନ୍ଦୁଛି ଯେ କାନ୍ଦୁଛି ।


ଓଲା ପ୍ରକୃତିର ହେଲେ ବି
ମକରା ବିଶ୍ୱସ୍ତ, ପରିଶ୍ରମୀ
ବାହା ବୟସ ଗଡିଯିବାରୁ
ଅଭିଆଡା ହୋଇ ରହିଗଲା
ପାଖ ସାହିରେ କୁଡିଆ ଘର 
ନିଜର ବୋଲି କେହି ନାହାନ୍ତି 
ସାଆନ୍ତଙ୍କ ଘରେ ବୋଲହାକ 
କରି ପେଟ ପୋଷୁଛି।


ସେ ଦେଖିଛି ଗାଆଁର ବଦଳୁଥିବା 
ରୂପ, ଏଣିକି ଘରେ ଘରେ ମିଳୁଛି 
ନିଶାପାଣି, ଜମୁଛି ଜୁଆଖେଳ
ଆମ୍ବତୋଟାରେ ରାତି ଅନ୍ଧାର
ଭିତରେ ଜଳୁଛି ଚୁଲି, ହାଣ୍ଡିରେ
ଟକ୍ ଟକ୍ ଫୁଟୁଛି ମହୁଲି ।
ତିଆରି ହେଉଛି ପାଟିରୁ ଲାଳ 
ଗଡାଉଥିବା ସ୍ୱାଦିଷ୍ଟ ଚାଖେଣା ।
ଜମୁଛି ଜୁଆଖେଳ ଆସର ।


ମନର ଦୁଃଖ, ଚାଖେଣା ବାସ୍ନା
ମକରାକୁ ଟାଣିନେଲା 
ଗାଆଁ ଭାଟିକୁ। ଘରକୁ ଫେରି 
ନିଶାରେ ଏକଦମ ଚୁର ।
ଭାବିଲେ ବେଶି ମୁଣ୍ଡ ଘୂରାଉଛି,
ମନକୁ ଅଜଣା ପାପ ଛୁଉଁଛି
ଜୁଆରେ ପୁରୁଣା ପ୍ରେମିକା 
ଚାନ୍ଦିନୀକୁ ବାଜିରଖି ହାରିଛି
ଆତ୍ମାକୁ ବାଧିଛି ।


ମକରା ଦେଖିଛି ସାଆନ୍ତେ
ମଦ ପିଇ ଠୋ ଠୋ ହସନ୍ତି
ଆଖି ଦେଖାଇ ଗାଳି ବର୍ଷାନ୍ତି ।
ବିଚରା ଏଠି ଦି ଗ୍ଲାସ୍ ମହୁଲି 
ପିଇ କାନ୍ଦୁଛି ଯେ କାନ୍ଦୁଛି ।
ସେଦିନ ସାଆନ୍ତେ "ଖଟରେ 
ଶୋଇପଡ" କହି କଳା କମ୍ବଳ
ଘୋଡାଇ ଦେଇ ଘରୁ ଚମ୍ପଟ। 
କଥା ମାନି କେତେ ହଟହଟା 
ହେଲା ବିଶ୍ୱସ୍ତ ମକରା ଭୁଲିନି ।


ଅଧରାତିରେ ସାଆନ୍ତ ଟଳିଟଳି
ଉଆଁସକୁ ଫେରିବା ପରେ
ଛାଞ୍ଚୁଣି ଉତ୍ତାରି ଦେଇଥିଲା 
ନାଲି ପାଣିର ମହୁଆ ନିଶା ।
ସେବେଠୁ ସାଆନ୍ତ ଶାନ୍ତ 
ନିଶାପାଣି ଛୁଉଁ ନାହାନ୍ତି, 
ସାଆନ୍ତାଣି ଭାରି ଖୁସ୍।


ସବୁ ଦେଖି ଜାଣି ବାଉଳା
ହେଲା ନିର୍ବୁଦ୍ଧିଆ ମକରା। 
ଭାଟିରେ ନାଲିପାଣି ଛୁଇଁଲା।
ବିଛା ଭଳି ମୁଣ୍ଡ ଉପରକୁ
ଚଢି ଚଢି ଚାଲିଥିଲା ନିଶା।
କୁଡିଆରୁ ଟଳଟଳ ପାଦରେ 
ବାହାରିଲା, ଗାଆଁ ମୁଣ୍ଡରେ ଥିବା
ଚାନ୍ଦିନୀର ଚାଳିଆ ଆଗରେ 
ପହଞ୍ଚି ତଳେ ବସିପଡି
ବହେ କାନ୍ଦିଲା।


ଚଣ୍ଡି ସ୍ୱଭାବର ମାଆ-ବାପ ଛେଉଣ୍ଡ
ଝିଅ ଚାନ୍ଦିନୀ। କେବେଠାରୁ ବାହା
ବୟସ ଗଡି ଗଲାଣି। ଘରେ ଠୁକୁରି
ରୋଗିଣା ବୁଢିମାଆର ଯତ୍ନ ନିଏ
ପରଘରେ ବାସନ ମାଜି ଚଳେ।
କେହି କିଛି କହିଲେ "କେତେ 
ସିଆଣିଆ" କହି ଆଖି ଦେଖାଏ।
ଚାନ୍ଦିନୀକୁ ଡରି କେବେ ମନକଥା
ଖୋଲି କହି ପାରିନି ମକରା।
ସାଆନ୍ତଙ୍କ ଘରକୁ ଯିବାବେଳେ
ପୋଖରୀ ତୁଠରେ ଚାନ୍ଦିନୀକୁ
ଦେଖିଲେ ଲୁଚିଲୁଚି ଚାହେଁ ।
କାଖକୁ ପାଣି କଳସୀ ଟେକିଆଣି 
ହସିଦେଇ ଚାଲିଯାଏ ଚାନ୍ଦିନୀ।


ନିଶାଗ୍ରସ୍ତ ମକରା ମନରେ ସାହସ
ଜୁଟାଇ ବଡ଼ ପାଟିରେ ଡାକିଲା 
"ଆ ଆ ଲୋ ଚାନ୍ଦିନୀ ଆ'। 
ଆମେ ଯିବା ରାସ୍ତାରେ ବୁଲିବା,
ସୁଲୁସୁଲିଆ ପବନ ପିଇବା, 
ଦୁହେଁ ମିଶି ଘର ବାନ୍ଧିବା,
କାମ କରି ଚଳିବା ।"


ରାତି ଅଧରେ ମକରାର ଅଜବ
କାଣ୍ଡ ଦେଖି ଲୋକେ ତାଜୁବ।
ଦଉଡି ଆଣି ଗଛରେ ବାନ୍ଧିଦେଲେ 
ମନ ମେଣ୍ଟିବା ଯାଏ ଛେଚିଲେ।
ସାଆନ୍ତ ସାଆନ୍ତାଣୀଙ୍କ ଆଗରେ
ଫେରାଦ ହେବାକୁ ସ୍ଥିର କଲେ।
ମକରା ରଡି ପରେ ରଡି ଛାଡି 
କାନ୍ଦିଲା, ନାକକୁ ଶହେବାର 
ଭୂଇଁରେ ଘଷିଲା, ସମସ୍ତଙ୍କ
ଗୋଡ ଧରି ଭୁଲ ମାଗିଲା,
ମଦ ଆଉ ଛୁଇଁବନି କହି 
ସାତବାର ଶପଥ କଲା।
ସାଆନ୍ତ ସାଆନ୍ତାଣୀଙ୍କୁ କିଛି 
ନ ଜଣାଇବାକୁ ସମସ୍ତଙ୍କୁ
ନେହୁରା ହେଲା।


ହୋସରେ ନ ଥିଲା ମକରା
ସକାଳେ ନିଦ ଭାଙ୍ଗିବାରୁ
ଉଠିପଡି କିରିକିରି ହସିଲା
କହିଲା ସବୁ "ସ୍ୱପ୍ନ ଥିଲା" !!
*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational