ନିଜର ତୁ ଭାରି ନିଜର
ନିଜର ତୁ ଭାରି ନିଜର
ହାୟ କହିଲେ ତୁ ଶୁଣୁ
ହଇରେ କହିଲେ ଶୁଣୁ
ଗାଳିଦେଲେ ତୋତେ କୋଳେଇ ନେଉ ତୁ
ସବୁ ମନକଥା ଜାଣୁ
ଭକତ ତୋହର ସଖା ସହୋଦର
ଭକତକୁ ବନ୍ଧୁ ମଣୁ
ସବୁ ମନକଥା ଜାଣୁ ...।
ନିଜର ବୋଲିତୁ ରଖୁତୁ ନଜର
ଭକତର ସୁଖେ ଦୁଃଖେ
ଏନ୍ତୁଡିଶାଳରୁ ମଶାଣି ଯାଏରେ
ରହିଥାଉ ପାଖେପାଖେ
ଭକତ ଜାଚିଲେ ନଡ଼ିଆ ତୋତେରେ
ଶ୍ରୀଭୁଜ ବଢାଇ ଆଣୁ
ସବୁ ମନକଥା ଜାଣୁ .. ।
ଭକତର ଦୁଃଖ ଭକତର ଭୋକ
ସହଜେ ପାରୁତୁ ବୁଝି
ପତିତ ଜନଙ୍କୁ ଦେବାକୁ ଦର୍ଶନ
ଆସୁ ତୁ ଦେଉଳ ତେଜି
ସାରା ଜୀବନର ଶାନ୍ତି ମିଳିଥାଏ
ରଥକୁ ତୋ ଟାଣୁଟାଣୁ
ସବୁ ମନକଥା ଜାଣୁ ...।
ଗଲାବର୍ଷ ପରି ଏବରଷ ପୁଣି
ବିନାଭକ୍ତେ ରଥଯାତ
କହରେ କାଳିଆ ଏ ମହାମାରୀର
କେବେତ ହୋଇବ ଅନ୍ତ?
ଧରା ହେବ ଶାନ୍ତ ହସିବ ଜଗତ
ଶୁଣି ତୋ ମୋହନ ବେଣୁ
ସବୁ ମନକଥା ଜାଣୁ .... ।