ନୀରବ ଯନ୍ତ୍ରଣା
ନୀରବ ଯନ୍ତ୍ରଣା
ଭୁଲ୍ କରିନାହିଁ ଜୀବନେ ଏମିତି
ମଣିଷଟେ କେହି ନାହିଁ
ନୀରବେ ନିଶୀଥେ ଗୁମୁରି କାନ୍ଦୁଛି
ଛୋଟ ଏକ ଭୁଲ୍ ପାଇଁ ।
ଅଳୀକ ସୁଖର ଅଜବ ନିଶାରେ
ଲଂଘିଲି ମର୍ଯ୍ୟାଦା ମୋର
ସୁଖ ଚାଲିଗଲା ଦୁଃଖ ଦେଇ ମତେ
ଲୁହ ବହେ ଝର ଝର।
ପାଦ ଖସି ଗଲେ ତଳକୁ ତଳକୁ
ପଙ୍କ ଯାଏ ଲେସି ହୋଇ
ନିଜ ପାଖେ ନିଜେ ଦୋଷୀ ମୁଁ ସାଜିଛି
କେହି ନ କହିଲେ ନାଇଁ ।
ମନ ଭୁଲାଣିଆ ମିଠା ମିଠା କଥା
କହିଲ ସେଦିନ କେତେ
କଥା ଦେଇ କଥା ପାରିଲନି ରଖି
ଛାଡ଼ି ଗଲ ଅଧାବଟେ ।
ଉଜୁଡ଼ି ଗଲା ମୋ ସୁଖର ସପନ
ହଜି ଗଲା ନିଦ ମୋର
ଭୁଲଟା ଏକ ନୀରବ ଯନ୍ତ୍ରଣା
ଦହୁଥାଏ ନିରନ୍ତର ।
ଅନୁତାପ ନିଆଁ ଜଳାଏ ହୃଦୟ
ଶିଖା ହୁଏ ନାହିଁ ଦେଖି
ନିରବ ଯନ୍ତ୍ରଣା ଲୁହ ହୋଇ ଝରେ
ଆଖି ତାର ମୁକ ସାକ୍ଷୀ।
