ନିଦାଘ କାଳ
ନିଦାଘ କାଳ
ବରଷା ଗଲା ଶୀତ ବି ଗଲା
ଆସିଲା ଗ୍ରୀଷ୍ମ କାଳ
ଝାଞ୍ଜି ପବନ ଅଥୟ କରେ
ଦେହରୁ ବହେ ଝାଳ ।
ଗ୍ରୀଷ୍ମ ଉତ୍ତାପେ ଶୁଖେ ପୋଖରୀ
ଶୁଖଇ ନଈ ନାଳ
ଗଛର ଛାଇ ଲୋଡ଼ା ସଭିଙ୍କୁ
ଲୋଡ଼ା ଶୀତଳ ଜଳ ।
ଆସର ଜମେ ଆମ୍ଵ ତୋଟାରେ
ସାଙ୍ଗ ସାଥିଙ୍କ ମେଳ
କାଚ-କଉଡ଼ି, ଲୁଡୁ ଓ ପଶା
ହୁଅଇ ତାସ୍ ଖେଳ ।
ବାଡ଼ି କାକୁଡ଼ି ଅମୃତଭଣ୍ଡା
ପାଚିଲା ଆମ୍ଵ ଫଳ
ଲେମ୍ବୁ ମିଶିରି ଥଣ୍ଡା ପାନୀୟ
ସଭିଙ୍କୁ ଲାଗେ ଭଲ ।
ଅଂଶୁଘାତର ଭୟ ଜାଗଇ
ପ୍ରତ୍ୟେକ ଜନ ହୃଦେ
ରକ୍ଷା ପାଇବା ହାତରେ ଛତା
ଚପଲ ଥିଲେ ପାଦେ ।
ବାହାର କାମ ସଅଳ ସାରି
ଫେରିବା ନିଜ ଘର
ଯେତେ ସମ୍ଭବ ଟାଣ ଖରାରୁ
ରହିବା ସଦା ଦୂର ।
ସୂତା ପୋଷାକ ପିନ୍ଧିବା ସର୍ବେ
ଦେହର ଯତ୍ନ ନେବା
ତାହେଲେ ଯାଇଁ ନିଦାଘ କାଳୁ
ଆମେ ରକ୍ଷା ପାଇବା ।