ମାଙ୍କଡ଼ ଓ କୁମ୍ଭୀର
ମାଙ୍କଡ଼ ଓ କୁମ୍ଭୀର
ନଈକୂଳେ,ଜାମୁକୋଳି ଭର୍ତ୍ତି ଗଛ
ସେଥିରେ ମାଙ୍କଡ଼ଟିଏ
ଜାମୁକୋଳି ଖାଇ ମହା ଆନନ୍ଦରେ
ବାସ କରି ରହିଥାଏ ।
ଏକଦା କୁମ୍ଭୀର ମାଙ୍କଡ଼ ସହିତ
ଜାମୁଗଛେ ଭେଟହେଲା
ମିଠାକୋଳି ଖାଇ ମାଙ୍କଡ଼ ସାଥିରେ
ମଇତ୍ର ଭାବ ରଖିଲା ।
ପ୍ରତିଦିନ ଆସି ମିଠାକୋଳି ଖାଏ,
ଘରକୁ ବି କିଛି ନିଏ
କୁମ୍ଭୀରର ସ୍ତ୍ରୀ ଜାମୁକୋଳି ଖାଇ
ବହୁତ ଆନନ୍ଦ ପାଏ ।
କହିଲା ସ୍ଵାମୀଙ୍କୁ, ଏତେ ମିଠାକୋଳି
ଖାଉଅଛି ତୁମ ମିତ..?
କଲିଜାଟି ତା'ର ଏହାଠୁ ଅଧିକ
ସୁଆଦ ହେବ ନିଶ୍ଚିତ ।
ମାଙ୍କଡ଼ କଲିଜା ଖାଇବ ବୋଲି ସେ
ଏକା ଜିଦି କରି ବସେ,
ଚଳିଲା କୁମ୍ଭୀର ପତ୍ନୀ କଥା ମାନି
ମଇତ୍ର କୁମ୍ଭୀର ପାଶେ ।
ଜାମୁଗଛ ମୂଳେ ପହଞ୍ଚି କୁମ୍ଭୀର
କହିଲା ଶୁଣ ହେ ମିତ
ମଇତ୍ରାଣି ତୁମ ହୁକୁମ ଦେଇଛି
ଆଜି ଯିବ ମୋ' ସହିତ ।
ଏହିକଥା ଶୁଣି ମାଙ୍କଡ଼ ମନରେ
ଖୁସି କହିଲେ ନସରେ
ମଇତ୍ରାଣି ପାଇଁ ପେନ୍ଥେ କୋଳି ଧରି
ବସିଲା ସାଙ୍ଗ ପିଠିରେ ।
ମଝି ନଈରେ କହିଲା କୁମ୍ଭୀର
ଶୁଣ ହେ ମୋହର ମିତ
ଭାରିଜା କହିଛି, ତୁମରି କଲିଜା
ଖାଇବାକୁ ଅସ୍ତବ୍ୟସ୍ତ ।
ଏହା ଶୁଣିକରି କହିଲା ମାଙ୍କଡ଼
ହେତୁ କଲନାହିଁ ମୋତେ
କଲିଜାଟା ପରା ଗଛ କୋରଡ଼ରେ
ଛାଡ଼ି ଆସିଅଛି ସତେ ।
ନିର୍ବୋଧ କୁମ୍ଭୀର ପୁଣିଥରେ ଜାମୁ
ଗଛ ମୂଳକୁ ଧାଇଁଲା
ଚତୁର ମାଙ୍କଡ଼ ସୁବିଧା ଦେଇକି
ଗଛକୁ ଡିଆଁ ମାରିଲା ।
ମାଙ୍କଡ଼ କହିଲା କୁମ୍ଭୀରକୁ ଚାହିଁ
କେଡ଼େ ବୋକା ସତେ ତୁହି
ନିଜ ଶରୀରରୁ କଲିଜାଟା କେବେ
ରହେ କି ଅଲଗା ହୋଇ ।
ଆଜିଠାରୁ ଆମ ଦୁହିଁଙ୍କର ମିତ
ଏଇଠୁ ସମାପ୍ତ ହେଲା
ତୁମ ପରି ବନ୍ଧୁ ଲୋଡ଼ା ନାହିଁ ମୋର
ଶୀଘ୍ର ମୋ ସାମ୍ନାରୁ ପଳା ।