ନାରୀ ନାରାୟଣୀ
ନାରୀ ନାରାୟଣୀ
ନାରୀ ସେତ ନାରାୟଣୀ ଶକତିମୟୀ
ଜନନୀ ଭଗିନୀ ଜାୟା ଭାରି ସିନେହୀ ।
ନୀରବରେ ସିଏ ସବୁ ପାରଇ ସହି
ମମତାର ମନ୍ତରରେ ସଭିଙ୍କୁ ମୋହି ।
ନାରୀ ପାଇଁ ଚଉଦିଗ ଲାଗେ ସୁନ୍ଦର
ଅସୀମ କରୁଣା ବାରି ଝରଇ ଝର ।
ତାହାତରେ ଗଢା ଏହି ସୁନ୍ଦର ଧରା
ତା ପରଶେ ହୁଏ ଆମ ଜୀବନ ତୋରା ।
ଫୁଲର ପାଖୁଡା ସେତ ନରମ ଖରା
ଚଇତି ପବନ ଛୁଆଁ ଚମକ ଭରା ।
ରଙ୍ଗ ଭରିଯାଏ ସେତ ଦୁନିଆ ସାରା
ସପନର ଖିଅ ବୁଣେ ଆଶା ଅସରା ।
ସରଗ ପାଲଟେ ଘର ପରଶ ପାଇ
ସ୍ନେହ ମମତାର ବହେ ଅଶୁଖା ନଈ ।
ଅସଜଡା ଜୀବନକୁ ଦିଏ ସଜାଡି
ସବୁରି ପରାଣେ ଦେଇ ସ୍ନେହ ଅଜାଡି ।
ମେଘ ବୁକୁ ଚିରି ସେତ ଆକାଶେ ଭାସେ
ଉଛୁଳା ତରଙ୍ଗେ ନାଚି ଢେଉରେ ହସେ ।
ସମୟ କୋଳରେ ଲେଖେ କାହାଣୀ ନୂଆ
ଖୁସି ଭରିଦିଏ କଅଁଳ ଛୁଆଁ ।
ନାରୀବିନା ସବୁ ଗୀତ ଲାଗେ ବେଶୁରା
ନାରୀ ସେତ ଯୁଗେଯୁଗେ ଦୁଃଖ ପାଶୋରା ।
ବେଦରଦୀ ମନ ଝୁମେ ତାହାରି ପାଇଁ
ପରକୁ ଆପଣା ନାରୀ କରିପାରଇ ।
ସୃଷ୍ଟି କାରିଣୀ ସିଏ ପ୍ରେମ ତରଙ୍ଗିଣୀ
ପ୍ରିତି ନୀର୍ଝରିଣୀ ନାରୀ ବିଶ୍ବ ମୋହିନୀ ।
କ୍ଷମା ଆଉ ଦୟା ର ସେ ଦରଦୀ ମୂର୍ତ୍ତୀ
ଦରଦୀ ହୃଦୟ ଟିଏ ପ୍ରେରଣା ଦାତ୍ରୀ ।
ପରଷରେ ପୁଲକିତ ମାଟିର ଛାତି
ଆଶାର ଆଲୋକ ନାରୀ ଅଭୁଲା ଗୀତି ।
ସ୍ନେହ ପ୍ରଦାୟିନୀ ସେତ ଅମୃତ ଶ୍ରୋତ
ମଳୟର ର ମୂର୍ଛନା ଭାବ ବୋଇତ ।
ଜାତିର ଗୌରବ ନାରୀ କୂଳର ଗର୍ବ
ନାରୀଙ୍କ ସମ୍ମାନ ପାଇଁ ପାଳିବା ପର୍ବ ।
ନାରୀ ର ସୁରକ୍ଷା ସେତ ଦାୟିତ୍ୱ ଆମ
ନାରୀ ର ସୁରକ୍ଷା ସାରା ଜାତିର ଧର୍ମ ।
ଆଗେଇ ଲେ ନାରୀ ଯାଏ ଦେଶ ଆଗେଇ
ଘର ରୁ ବାହାର ଯାଏ ନଜର ଦେଇ ।
ନାରୀ ହେଲେ ସୁସ୍ଥ , ସୁସ୍ଥ ରହେ ସମାଜ
ବିକାଶ ର ଧାରା ହୁଏ ସହଜ ।
ପୁରୁଷ ହୋଇଲେ ଚକ ନାରୀଯେ ଅଖ
ଅଖ ନବୁଲିଲେ କାହୁଁ ଗଡିବ ଚକ !
ନାରୀ ପାଇଁ ଯିଏ ଯେବେ ହୋଇଛି କଣ୍ଟା
ଦୋହଲି ଯାଇଛି ତାର ଅବେଳେ ଅଣ୍ଟା ।
ପ୍ରଭୁଙ୍କୁ ବି ତହିଁରୁ ରକ୍ଷା ମିଳି ନାହିଁ
ପରମବ୍ରହ୍ମ ହୋଇ ଭ୍ରମେ ପଡିଲେ ସେହି ।
ଭକତର ଭକତିରେ ଜଗଜ୍ଜନନୀ
ହୃଦୟ ହୋଇଗଲା ତାଙ୍କର ପାଣି ।
ଜାତି ଅଜାତି କୁ ମାଆ ନଦେଇ ଧ୍ୟାନ
ଭକତର କୁଡଡିଆରେ ଦେଲେ ଦର୍ଶନ ।
ଲୋକଙ୍କ ଆଖିରେ ତାହା ଗଲାତ ନାହିଁ
ମା ଙ୍କୁ ଦେଲେନି ପ୍ରଭୁ ଦେଉଳେ ପୁରାଇ ।
ଅଭିମାନେ ମାଆ ଗଲେ ଦୂରକୁ ଚାଲି
ପ୍ରଭୁଙ୍କର ଦୁଃଖ ଏଣେ ଗଲାଯେ ବଳି ।
ମିଳିଲାନି ଅନ୍ନ ଦିନ ଉପାଶେ ଗଲା
ଲକ୍ଷ୍ମୀ ଛଡାବୋଲି ଏଣେ ନିନ୍ଦା ରଟିଲା ।
ଅନୁତାପ କଲେ ପ୍ରଭୁ ଦୋଷକୁ ବୁଝି
ବୁଲିବୁଲି ଶେଷେ ତାଙ୍କୁ ପାଇଲେ ଖୋଜି ।
ଦୋଷ ମାନି ମାଆଙ୍କୁ ଆଣିଲେ ଫେରାଇ
ହସିଲା ଶ୍ରୀମନ୍ଦିର ଶ୍ରୀ ଙ୍କୁ ପାଇ ।
ମା ପେଟୁ ନାରୀ ଆଜି ନୁହେଁ ସୁରକ୍ଷିତ
ଜଠର ରୁ ଭାସିଆସେ ଦୁଃଖ ସ°ଗୀତ ।
ମ ପେଟୁ ଭୃଣ ଲିଙ୍ଗ ହେଉଛି ଚିହ୍ନଟ
କନ୍ୟା ଭୃଣ କଲବଲ ଘୋର ସଙ୍କଟ ।
ଦୁନିଆର ଆଲୋକ ଦେଖିବା ଆଗରୁ
ଭୃଣ ହତ୍ୟା ହେଉଛି ମାଆ ଜଠରରୁ ।
ଯଉତୁକ ସମସ୍ୟା ସ°ସାର ଜଟିଳ
ବଧୂ ଅତ୍ୟାଚାର ସେ କଥା ଅସମ୍ଭାଳ ।
ଯଉତୁକ ଜୁଇ ରେ ନିରୀହ ଜୀବନ
ଅକାଳରେ କାଳ ଗ୍ରାସେ ଜଳେ ପରାଣ ।
ଆଶା ଅସୁମାରୀ ମିଠାମିଠା ସପନ
ମଧୁରାତି ପାହିଲେ ଠିକଣା ଶ୍ମଶାନ ।
ନିଶା ପୁଣି ନାରୀ ପାଇଁ କାଳ ହେଉଛି
ସୁନା ସ°ସାର କେତେ ଉଜୁଡି ଯାଇଛି ।
ମଦ୍ୟପ ହୋଇଲେ ସ୍ବାମୀ ସରିଲା କଥା
ସ୍ତ୍ରୀ ତାର ଛଟପଟ କପାଳ ଫଟା ।
ଦିନୁଦିନ ଦୁଃଖ ତାର ବଳେଇ ଯାଏ
ମଦ ତା ଆଖିରୁ ନିଦ ହଜାଇ ଦିଏ ।
ନାରୀ ସୁରକ୍ଷା ପାଇଁ ହେବା ସଚେତନ
ନାରୀ ବିନା ଅଧାଗଢା ଜୀବନ ।
ଝିଅ ଜନ୍ମ ହେଲେ ମନ ଉଣା କରନି
ଝିଅ ର ଯତନେ ଜମା ହେଳା କରନି ।
ଝିଅମାନେ ହୋଇଲେଣି ଜଗତ ଜିତା
ଦୁହିତାସେ ସଦା ଦୁଇ କୂଳକୁ ହିତା ।
ପଢିବାକୁ ବଢିବାକୁ ସୁଯୋଗ ଦେବା
ଦେହମନ ବିକାଶରେ ଧ୍ୟାନ ଯେ ଦେବା ।
ଗଉରବ ସାଉଁଟିବେ ଦେଲେ ସୁଯୋଗ
ତାଙ୍କ ପାଇଁ କରୁଥିବା ଆମେ ଗରବ ।
ଘର ଚାରିକାନ୍ଥେ ବନ୍ଧା ନୁହଁଇ ନାରୀ
ସବୁଠାରେ ଯାଏ ସିଏ ସୁଷମା ଭରି ।
ପୁରୁଷଙ୍କ ସାଥେ ଏବେ ପାଦ ମିଳେଇ
ନାରୀମାନେ ଗଲେଣିତ ଆଗେ ଆଗେଇ ।
ଶାସନ ପ୍ରଶାସନ ନିତି ରାଜନୀତି
ସବୁଠାରେ ନାରୀଙ୍କର ବଢୁଛି କ୍ଷାତି ।
ଯେଉଁଠି ନାରୀଙ୍କୁ ବେଶି ସମ୍ମାନ ମିଳେ
ଆଗୁଆ ସେ ସମାଜ ତ ସବୁ କ୍ଷେତ୍ରରେ ।
ମମତା ର ପାରାବାର ନାରୀ ଅଟଇ
ତା ସାଥିରେ ବାଦ କଲେ ନିଆଁ ଜଳଇ ।
ସୁଖେ ଦୁଃଖେ ନଉକା କୁ ନିଏ ସେ ବାହି
ନାରୀ ନାରାୟଣୀ ଶକତିମୟୀ ।