ନାରୀ ଚରିତ୍ର
ନାରୀ ଚରିତ୍ର
ବାଲ୍ୟ ବନ୍ଧୁ ମୋର ରଘୁ ନନ୍ଦନ। ଛୁଟି ପାଇଥିଲେ ଦଶରା ଦିନ ॥
ପୁତ୍ର, ପତ୍ନୀଙ୍କୁ ରଖି ଏକାକୀ ଘରେ । ଡ୍ରାଇଭର ଭୋଳାକୁ ନେଇ ସାଙ୍ଗରେ ॥
ବାହାର କରିଲେ ମୋଟର ଗାଡ଼ି । ଦେଖିବାକୁ ଯିବେ ରାବଣ ପୋଡ଼ି ॥
ଗାଡ଼ି ଚଳାଉଛି ଭୋଳା ଶଙ୍କର । ରଘୁ ଏଣେ ତେଣେ ଦିଏ ନଜର॥
ହଠାତ, ଭୋଳା ଆଡେ ଚାହିଁ କହିଲେ ବାବୁ । ଗୋଟେ କଥା ପଚାରୁଛି ଉତ୍ତର ଦେବୁ ॥
ଉର୍ଦ୍ଦ୍ୱ ମୁଖ ହୋଇ ବାଳିକା, ନାରୀ। ଓଠକୁ ଲମ୍ବେଇ ବତକ ପରି॥
ଆପେ ଉଠେଇଲେ ନିଜର ଫଟ । କି କହିବା ତାକୁ କହ ଝଅଟ॥
ଭୋଳା କୁହେ କାନ ମୁଣ୍ଡ ଆଉଁସି । ମୁରୁଖ ଲୋକ ମୁଁ ବୁଝେନା ବେଶି॥
ହସି ହସି କୁହେ ରଘୁ ନନ୍ଦନ। ଖଟି ଖଟି ଗଲା ଅଧା ଜୀବନ॥
ଜାଣିଲୁନି ସେଲ୍ଫି ଶବ୍ଦର ଅର୍ଥ। ଚାରଣା ଜୀବନ ତୋ ହୋଇଲା ବ୍ୟର୍ଥ ॥
କିଛି କ୍ଷଣ ପରେ ଅଳପ ହସି। ପଚାରିଲେ ବାବୁ ସଳଖି ବସି ॥
ସଂସାରେ ଅଛନ୍ତି ଯେତକ ନାରୀ। ସଜେଇ ହୁଅନ୍ତି ଘଣ୍ଟାଏ ଧରି॥
ବୟସ ତାଙ୍କର ଜମା ବଢ଼େନା। ୭୦ ବର୍ଷରେ ପୂର୍ଣ୍ଣ ଯୌବନା॥
ହାତ ଯୋଡି କୁହେ ଭୋଳା ଶଙ୍କର । ଚାଷ ନାହିଁ ମୋର ଏତେ ଗହୀର॥
ହସି ହସି କୁହେ ରଘୁନନ୍ଦନ । ବୃଥା ତୋର ଆଠ ଅଣା ଜୀବନ ॥
ଗାଡ଼ି ଧରି ଘୁରି ବୁଲୁ ସର୍ବତ୍ର । କେବେ ତୁ ବୁଝିବୁ ନାରୀ ଚରିତ୍ର॥
ମୋବାଇଲ ଫୋନ ସାମ୍ନାରେ ରଖି । ବାବୁ ବସିଥିଲେ ଅଣ୍ଟା ସଳଖି॥
ହଠାତ ମୋବାଇଲ ବାଜି ଉଠିଲା। ଅବେଳରେ କିଏ ଫୋନ କଲା ?
ରିସିଭ କଲେ ବାବୁ ତରବରରେ। ପ୍ରାଣ ପ୍ରିୟା ପତ୍ନୀ ଥିଲେ କଲରେ ॥
କଥା ସାରି, ଛାଡି ଦୀର୍ଘ ନିଶ୍ୱାସ । କହିଲେ, ରେ ଭୋଳା ସର୍ବନାଶ ॥
ମାଡାମ ଯାଇଛନ୍ତି ମାର୍କେଟିଂ କରି। ମୋ କ୍ରେଡିଟ କାର୍ଡ ଟା ସାଙ୍ଗରେ ଧରି॥
ସୁନା ଦୋକାନରୁ କିଣି ଗହଣା । କ୍ରେଡିଟ କାର୍ଡରୁ ଦେବେ ପାଉଣା॥
ରଘୁ ଆଡେ ଚାହିଁ ପଚାରେ ଭୋଳା । ଜାଣିଛ କି, କାର୍ଡ ବ୍ଲକ କଳା ?
ମନା କଲେ ବାବୁ ମୁଣ୍ଡ ଟୁଙ୍ଗାରି । ଏତେ କଥା ଜଣା ନାହିଁ ମୋହରି॥
ବୁଲିବାକୁ ଯେଣୁ ଥିଲି ବାହାରି । କାର୍ଡ଼ ଆଣି ନାହିଁ ସଙ୍ଗରେ କରି॥
ହାତ ମଳି ଭୋଳା ରଘୁକୁ ଚାହିଁ। କୁହେ, ବାବୁ କିଛି ଭାବିବ ନାହିଁ ॥
ନିଜ ଘରଣୀକୁ ଯିଏ ଚିହ୍ନେନା । ବୃଥା ତା ଜୀବନ ଷୋହଳ ଅଣା ॥