STORYMIRROR

Rakesh Mishra

Inspirational

5.0  

Rakesh Mishra

Inspirational

ଦେଖିଛ କି କେବେ...

ଦେଖିଛ କି କେବେ...

1 min
25.9K


ଦେଖିଛ କି କେବେ !!

ଝଡତୋଫାନ ପରେ,

ରାସ୍ତା ଉପରେ ପଡ଼ି ଚିଂ ଚିଂ କରୁଥିବା ପକ୍ଷୀ ଶାବକକୁ,

ଗୋଟିଏ ପଟେ ଧ୍ୱସ୍ତ ବିଧ୍ୱସ୍ତ କାଠି କୁଟାର ବସା,

ଅନ୍ୟ ପଟେ ମା'ଚଢେଇର ଅସହାୟ ଚିତ୍କାର,

ମୁଁ ଦେଖିଛି...


ଦେଖିଛ କି କେବେ !!

ନଖ କୋଣରେ ଲାଗିଥିବା ନେଲପଲିସର ରଙ୍ଗ ପରି,

ବଦଳି ଯାଉଥିବା ସମ୍ପର୍କ ସବୁକୁ,

"ତୁମ ଛଡା ବଞ୍ଚି ପାରିବିନି" କହୁଥିବା ଝିଅଟା,

ଏବେ ବଞ୍ଚିଛି କି ନା' ଖବର ନିଏନା,

ଆଉ, ବିନ୍ଦୁ ସାଗର କୂଳେ ନିଜ ଲୁହ ନିଜେ ପୋଛୁଥାଏ,

ଭେଣ୍ଡିଆ ଟୋକାଟା,

ମୁଁ ଦେଖିଛି...


ଦେଖିଛ କି କେବେ !!

ନ୍ୟାୟାଳୟକୁ ଆସି ଫେରୁଥିବା ପୁତ୍ର ହତ୍ୟାକାରୀ ମା'କୁ,

ନିଜ ଗର୍ଭର ସନ୍ତାନ ହରାଇବାର ଯନ୍ତ୍ରଣା,

ଆଉ ବଳାତ୍କାରୀକୁ ଶାସ୍ତି ଦେବାର ଶାନ୍ତି,

ଦୁହେଁ ମିଶିଲେ କେମିତି ଦିଶେ ସେ ଆଖି

ମୁଁ ଦେଖିଛି...


ଦେଖିଛ କି କେବେ !!

ସୀମା ଉପରୁ ସହୀଦ ହୋଇ ଫେରିଥିବା

ନିଜ ବାପର ଶବ ପାଖରେ ବସି,

ନିଜ ଭିତରର କୋହକୁ ନିଜ ଭିତରେ ଚାପି ରଖି,

ମା'କୁ ସାନ୍ତ୍ଵନା ଦେଉଥିବା ନ'ବର୍ଷର ସେଇ ଛୋଟ ପୁଅଟିକୁ,

ମୁଁ ଦେଖିଛି...


ଦେଖିଛ କି କେବେ !!

ଛିଡା ଶାଢୀ ଖଣ୍ଡକରେ ନିଜ ଦେହ ଢାଙ୍କୁଥିବା ପାଗିଳି,

କୁକୁର ଠାରୁ ରୁଟି ଛଡେଇ ଖାଉଥିବା ଭିକାରୀ,

ପୋଲ ତଳେ ପଡିଥିବା ଲଙ୍ଗଳା ଦେହକୁ ଦେଖି,

ନିଜ ସୁପ୍ତ ପୌରୁଷତ୍ଵକୁ ତୃପ୍ତ କରୁଥିବା,

ରାସ୍ତାକଡ଼ର ନିର୍ଲଜ୍ଜ ଆଖି,

ମୁଁ ଦେଖିଛି...


ମୁଁ ଦେଖିଛି ଆଉ ଲେଖିଛି..

ୟା ଛଡା ଆଉ କଣ ବା' କରି ପାରିଥାନ୍ତି..!!

ଦେଖୁନ କେମିତି ମୋ ହାତ ଦୁଇଟା ବନ୍ଧା,

ଦାୟିତ୍ୱବୋଧର ରଜ୍ଜୁରେ...

ସେ ରଜ୍ଜୁରେ ଥିବା ଶକ୍ତ ଗଣ୍ଠିଟା,

ଦେଖିଛ କି କେବେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational