ଭଲ ବ୍ୟବସାୟ ରାଜନୀତି
ଭଲ ବ୍ୟବସାୟ ରାଜନୀତି
ଦରକାର ନାହିଁ ପଢାଶୁଣା । କଥା କୁହା ବିଦ୍ୟା ଥିବ ଜଣା ॥
ପୁରୁଣା ନେତାଙ୍କ ହାତ ଧରି । ଆରମ୍ଭ କରିବ କଂଟ୍ରାକ୍ଟରୀ ॥
ଇନ୍ଦିରା ଆବାସ, ଲୋନ , ଭତ୍ତା । କରେଇ ଦେବାକୁ ଦେବ କଥା ॥
ହାଟ, ଛକ ବା ସଭା ସମିତି । ବିରୋଧୀ ନେତାଙ୍କ ବେଇଜ୍ଜତୀ ॥
କରିପାରୁଥିବ ନିତି ନିତି । ତୁମ ପାଇଁ ଫିଟ୍ ରାଜନୀତି ॥
ପାନ ଗୁଆ ଖଇର ଗୁଆକାତି । ଭଲ ବ୍ୟବସାୟ ରାଜନୀତି ॥
ବେଳେ ବେଳେ କରି ହରତାଳ । ଲୋକଙ୍କୁ ଦେଖାଅ ବାହୁବଳ ॥
ମଦ ପିଇ ବୁଲ ମାଳ ମାଳ । ଗାଡି ଭାଙ୍ଗ ଆଉ ଟାୟାର ଜାଳ ॥
ଲୋକଙ୍କୁ ଡରାଇ ଦିଅ ଗାଳି । ବିରୋଧୀଙ୍କ କର ମୁହଁ କାଳି ॥
(ବନ୍ଦ ର) କାରଣ ନଥାଉ ପଛେ ଜଣା । ଜନତାଙ୍କୁ କର ବାଟବଣା ॥
କୁହ ବିରୋଧୀ ନେତାଏ ସବୁ ଭ୍ରଷ୍ଟ । ଦେଶଟାକୁ କରି ଦେଲେ ନଷ୍ଟ ॥
ତୁମ ପାଇଁ ହାତେ ଧରି ଲାଠି । କରୁଅଛୁ ଆମେ ରାଜନୀତି ॥
ପାନ ଗୁଆ ଖଇର ଗୁଆକାତି । ଭଲ ବ୍ୟବସାୟ ରାଜନୀତି ॥
ଟିକେଟ ପାଇବାକୁ ଯଦି ମନ । ଲବି କରୁଥିବ ଘନ ଘନ ॥
ମାନ ସନମାନ କରି ତୁଚ୍ଛ । ଦରକାର ହେଲେ ଜୋତା ପୋଛ ॥
ଯଦି ନେତାଙ୍କ ଦୟାରୁ ସିଟ ମିଳିଗଲା । ଜାଣ ସପ୍ତପୁରୁଷର ଭାଗ୍ୟ ଖୋଲିଗଲା ॥
ଘର ଘର ବୁଲ ହାତ ଯୋଡି । ସଭାରେ ଚିଲ୍ଲାଅ ଦେଇ ରଡି ॥
ବୁଝାଅ ଲୋକଙ୍କୁ ତୁମ ଦଳ । ଗରୀବର ବନ୍ଧୁ ଚିରକାଳ ॥
ବିରୋଧୀ ଗୁଡାକ ଟାଉଟର । ରାଜ୍ୟଟାକୁ କଲେ ଛାରଖାର ॥
ଜନତା ଆମର ମୂର୍ଖ ଅତି । ପ୍ରବଳ ଦୁର୍ବଳ ସ୍ମୃତିଶକ୍ତି ॥
ପାନ ଗୁଆ ଖଇର ଗୁଆକାତି । ଭଲ ବ୍ୟବସାୟ ରାଜନୀତି ॥
ଭୁତେଇ ଲୋକଙ୍କୁ ଦେଇ ଭୁଆଁ । ଜିତିଲେ ଦବନି ଧରାଛୁଆଁ ॥
ପାଞ୍ଚ ବରଷରେ ଯେତେ ପାର । ଲୋକଙ୍କ ଟଙ୍କାରେ ଫୁର୍ତ୍ତି କର ॥
କହିବ ଲୋକଙ୍କୁ ମିଠା କଥା । କରିବନି କିନ୍ତୁ ତାଙ୍କ ଚିନ୍ତା ॥
ଯେତେ ଦିନ ଥିବ ଅନ୍ନ ଚିନ୍ତା । କରିବେ ଜନତା ନତ ମଥା ॥
ପୁଣି ଆସିଲେ ନିର୍ବାଚନ । ଆରମ୍ଭ କରିବ ପ୍ରହସନ ॥
ନୂଆ ନୂଆ ଦେବ ପ୍ରତିଶ୍ରୁତି । ଚାଲିଛି ଚାଲିବ ଏହି ରୀତି ॥
ପାନ ଗୁଆ ଖଇର ଗୁଆକାତି । ଭଲ ବ୍ୟବସାୟ ରାଜନୀତି ॥
- ରାକେଶ ମିଶ୍ର
