ଉଠ କଙ୍କାଳ
ଉଠ କଙ୍କାଳ
ଗଙ୍ଗା ଯାହାର ମସ୍ତକେ ଶୋଭା,
ପାଦ ଧୁଏ ଗୋଦାବରୀ।
ଆଜି ସେ ଉତ୍କଳ ହୋଇଛି କାଙ୍ଗାଳ,
ପାଲଟିଛି ହତଶିରୀ ।।
ତ୍ୟାଗ ତପସ୍ୟାର ଭୂମି ଏ ଉତ୍କଳ,
ସାକ୍ଷୀ ଅଛି ଇତିହାସ।
ବାର'ଶ ବଢ଼େଇ ପାଇଁ ଧର୍ମପଦ,
ସମୁଦ୍ରେ ଦେଇଛି ଝାସ ।।
ଏ ମାଟିର ବୀର ପାଇକ ଆଗରେ,
ନଇଁଛି ବ୍ରିଟିଶ୍ ମଥା।
ଦୟାନଦୀ ତୀର କହେ ଏ ମାଟିର,
ବୀରତ୍ୱର ମହାଗାଥା।।
ଧଉଳି ପାହାଡ଼ ରହି ଅଛି ସାକ୍ଷୀ,
ଏ ମାଟିର ସାହସର।
ହରାଇଛି ପ୍ରାଣ ହରାଇନି ମାନ,
ହୋଇନାହିଁ ନତ ଶିର।।
ବୀର ପ୍ରସବିନୀ ଉତ୍କଳ ଜନନୀ,
ଶ୍ରୀହୀନ ହେଲାଣି ଆଜି ।
ଉତ୍କଳମଣିଙ୍କ ସ୍ୱପ୍ନର ଓଡିଶା,
କେଉଁଠି ଯାଇଛି ହଜି ।।
ଗରିବ ଓଡ଼ିଆ ଚାକିରୀ ବିହୁନେ,
ଦାଦନ ଶ୍ରମିକ ସାଜେ ।
ଫେରିବାର ବାଟ ଚାହିଁ ବସି ବସି,
ମା'ର ପଣତ ଭିଜେ।।
ପେଟ ବିକଳରେ ମା' ଏଠି ବିକେ,
ନିଜର ପେଟର ଛୁଆ ।
ନିଜ ଶବ ନିଜ କାନ୍ଧରେ ବୋହି,
ଘୁରି ବୁଲନ୍ତି ଓଡ଼ିଆ।।
ଆଉଶକ୍ତି ନାହିଁ ଦେଖିବାକୁ ଭାଇ,
ନଗଡ଼ା ବା କାଶୀପୁର ।
ସ୍ଵଛ ଶାସନର ଦର୍ପଣେ ଦିଶେ,
ଦୁର୍ନୀତିର ଗନ୍ତାଘର ।।
ଆଉ କେତେଦିନ ଚେଇଁ ଶୋଇଥିବ,
ଉଠ ଉଠ କଙ୍କାଳ ।
ସମୟ ଆସିଛି ପ୍ରମାଣ ଦେବାକୁ,
ଆମେ ନୁହେଁ ଦୁର୍ବଳ ।।
ବାଜେ ରଣଭେରୀ ଧର ତରବାରୀ,
ଏବେ ଯୁଦ୍ଧର ବେଳ।
ଥମିଯାଉ ଯେତେ ଅନୀତି ଦୁର୍ନୀତି,
ଗର୍ଜିଉଠୁ ମହୀତଳ ।।
ଭୂମିକମ୍ପ ହେଉ ଗରଜୁ ଆକାଶ,
ଥରିଉଠୁ ରସାତଳ ।
ଚତୁର୍ଦ୍ଦିଗେ ବାଜୁ ବିଜୟ ଦୁନ୍ଦୁଭି
ବିଶ୍ୱରେ ପଡୁ ଚହଳ।।
ରାକେଶ ମିଶ୍ର
ଦୁରଭାଷ - 8420912545
