STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ନାମରେ ନାହିଁ ତ କାମ

ନାମରେ ନାହିଁ ତ କାମ

1 min
277


ଅମରବୋଲିକି ନାମଟିଏ ଦେଲେ

    କେବେ କି ସେ ମରେ ନାହିଁ,

ନା,ନାଁହୋଇଥିଲେ ମୃତ୍ଯୁଞ୍ଜୟପଛେ

    ହୁଏ କି ସେ ମୃତ୍ଯୁଞ୍ଜୟୀ?


ଅଢେଇଶ ମାଂସ ନଥାଉ ଦେହରେ

     ନାଁ ଟି ତାହାର ଭୀମ,

ରାବଣର ଗୁଣ ଯାହାଠି‌ ରହିଛି

    ତା ନାଆଁ ପୁଣି ରାମ।


ନାଆଁ ଆର୍ତ୍ତତ୍ରାଣବଡ ସ୍ଵାର୍ଥୀ ଜାଣ

    କାହା ଦୁଃଖ ଶୁଣେ ନାହିଁ,

ଦୀନବନ୍ଧୁ ନାଆଁ ପାଇଛି ନିର୍ଗେନ୍ଧା

    ଭକ୍ତ ଭକ୍ତି ଜାଣେ ନାହିଁ।


ନାଆଁଟି ତାହାର ସତ୍ଯବ୍ରତସିନା

    ସର୍ବଦା ମିଛ ସେ କହେ,

ସୁଶାନ୍ତ ବୋଲିକି ନାମଟି ତ ଯିଏ

    ସବୁଠାରୁ ଦୁଷ୍ଟ ସିଏ।


କିଏ ଦେଲା ତାର ନାଆଁଟିଗଣେଶ

    ଜନମରୁ‌ ଗଜ ମୂର୍ଖ,

ଅନ୍ତରପାନ୍ତର ନୀତିଟି ଯେ ଜାଣେ

    ନାମଟି ତାର ବିବେକ।


କାଙ୍ଗାଳୀର ଏଠି ପାଞ୍ଚତାଲା କୋଠା

    ନରେନ୍ଦ୍ର ମାଗୁଛି ଭିକ,

କାଳିଆ ଭୁଷୁଣ୍ଡା ବାନ୍ଦର‌ ମୁହାଁଟି

    ନାଆଁ ପାଇଛି କାର୍ତ୍ତିକ।


ଜୀବନରେ ଯିଏ ଦାନ କରିନାହିଁ

    ନାଆଁ ତାର ହରିଶ୍ଚନ୍ଦ୍ର,

ଯେ ନିତି କରୁଛି ଚୋରୀ ଡକାୟତି

    ନାଆଁଟି ତାର ଯୋଗୀନ୍ଦ୍ର।


ଧରମ ଆଦରିଦୁର୍ଯ୍ଯୋଧନ ଚାଲେ

    ଯୁଧିଷ୍ଠିର ଅହଂକାରୀ,

ମାଇଚିଆ‌ ନାଆଁ ଅର୍ଜ୍ଜୁନଟି ପୁଣି

    ପ୍ରତାପ ଡରୁଆ ଭାରି।


ବିଜୟ ନାଆଁର ବ୍ଯକ୍ତିଟିଏ ଯିଏ

     ସବୁବେଳେ କିନ୍ତୁ ହାରେ,

ଅଭୟ ନାଆଁଟି ପାଇଲେ କି ହେବ

    ଭୟେ ଭୟେ ସିଏ ମରେ।


ନାଆଁଟିଏ ସିନା ପ୍ରଫୁଲ୍ଲ ପାଇଛି

    ମୁହଁ ତା ଅଣଶୁଦ୍ଧିଆ‌,

କୁଳମଣି ପୁଣି କୁଳ ବୁଡ‌ଉଛି

    ରାଘବ ଯେ ଅଳସୁଆ।


ଚାଷ ଜାଣେ ନାହିଁ ହଳଧର ପୁଣି

    ବିଚ୍ଛା‌ ଦେଖି ଡରେ ଶିବ,

ବିରାଟ ନାଆଁଟି ପାଇଲେ କି ହେବ

    ଉଚ୍ଚା ଦେଢ଼ ଫୁଟ ହେବ।


ଜନମରୁ‌ ଅନ୍ଧ ନାମ ନେତ୍ରାନନ୍ଦ  

    ଛୋଟା ନାଆଁ ଶ୍ରୀଚରଣ

ସୁଭାଷ ପାଟିରେ ମିଠା ଭାଷା ନାହିଁ

    ଦୟାଟି ନିର୍ଦ୍ଦୟ ଜାଣ।


ନଳ ନାମଧାରୀ‌ ବ୍ୟକ୍ତି ଘାସକଟା

    କରୁଣାକର ନିଷ୍ଠୁର,

ସୁନାକର ସୁନା ଜୀବନେ ଦେଖିନି

    ଧ‌ଇଁଆ ନାଆଁଟି ବୀର।


ସୀତା ନୁହେଁ ସତୀ ଗୀତା ଅପବିତ୍ର

    ଲକ୍ଷ୍ମୀ ପୁଣି ହାଣ୍ଡି ଖାଇ,

ଆରାଧନା ପୁଣି ପୂଜା ଜାଣେ ନାହିଁ

     ସରସ୍ଵତୀ ମୂର୍ଖ ତହିଁ।


ନାଆଁ ସିନା ଦୁର୍ଗା ବିଲେଇକି ଡରେ

     କାମିନୀ ମୁହଁରେ ନିଆଁ,

ସାବିତ୍ରୀ ନାଆଁଟି ପାଇଛି ସେ କିନ୍ତୁ

     ଖୋଜେ ସ୍ଵାମୀ ନୂଆନୂଆ।


ଶାନ୍ତି କିବାସନ୍ତୀ ଅବାପ୍ରୀୟାପ୍ରୀତି

     ନାଆଁରେ କି ଆସେ ଯାଏ,

ଭଲକର୍ମ କଲେ କରମ ପଛରେ 

     ନାମ ତାର ଜୋଡିହୁଏ।


ନାଆଁରସାର୍ଥକ ସେତେବେଳେ ରୁହେ

     ଇତିହାସେ ସ୍ମୃତି ‌ହୋଇ,

ଯେତେବେଳେଗାନ୍ଧୀ ଗୋପବନ୍ଧୁ ଭଳି

     କର୍ମ କରିଥିବ ଭାଇ।


କୁକର୍ମ କରିଲେ କଂସ, ଦୁର୍ଯ୍ୟୋଧନ

     ଉପାଧି ନିଶ୍ଚେ ମିଳିବ,

ମୋ ନାଁଟି ଯାହା ମୋ କର୍ମଟି ତାହା

     ଚାତୁରୀ କି ରହିଥିବ?


ନାମ ବାଚକ‌ ଏ ଶବ୍ଦଗୁଡା ଏଠି

     ନିଜ ପରିଚୟ ପାଇଁ,

ବଞ୍ଚିଅଛି ଏଠି ଏ ମୂର୍ଖ ଅପର୍ତ୍ତି

     କର୍ମକୁ ପ୍ରାଧାନ୍ୟ ଦେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy