ମୁଁ ଶିକ୍ଷକ
ମୁଁ ଶିକ୍ଷକ
ଏପାଖେ ଜୀବନ ସେ ପାଖେ ଜଞ୍ଜାଳ
ଚେତନାର ଅନ୍ତଃ ସ୍ୱର
ସୌଭାଗ୍ୟ ସୋପାନେ ବାରବାର ଯାତ୍ରା
କରିବି କି ଆବିଷ୍କାର l
ବୃତ୍ତି ପ୍ରବୃତ୍ତିର ଯୁଗଳ ବନ୍ଦୀରେ
ନିଃଶ୍ବ ମୁଁ ନିର୍ଯ୍ୟାତିତ
ଆତ୍ମା ପରମାତ୍ମା ମହା ଜାଗତିକ
ମିଳନରେ ଅଭିପ୍ରେତ l
ଶିକ୍ଷାଦାନ ମୋର ସ୍ବର୍ଗୀୟ ପେଷା
ନିଶା ମୋର ସଂରଚନା
କେମିତି କେଜାଣି ଦୁଇ ନାବେ ରହି
କରିବି କି ଆରାଧନା l
କେବେ ମନ ମୋର ବନ୍ଧା ପଡ଼ିଯାଏ
ଅନ୍ତରାତ୍ମା ସ୍ଵାକ୍ଷରରେ
ନିଶା ମୋର ଦର୍ପେ ଉଜ୍ଜୀବିତ ହୁଏ
ଭବ୍ୟ ସୃଷ୍ଟି କଳେବରେ l
କେବେ ପୁଣି ପ୍ରାଣ ପରାଜିତ ହୁଏ
ଜୀବିକାର ଦଂଶନରେ
ପେଷା ମୋର କାଳେ ବଦଳି ଯାଇଛି
ଅମଲା ତାନ୍ତ୍ରିକ ସ୍ଵରେ l
ଶାସନ କଳର ଘୃଣ୍ୟ ନିତୀ ତଳେ
ଆସ୍ପର୍ଦ୍ଧା ମୋ ଅସ୍ତମିତ
ତଥାପି ଏ ମନ ସଂଭ୍ରମରେ ହୁଏ
ସ୍ୱାଭିମାନ ଜର୍ଜରିତ l
ମୁକୁଟ ମଣ୍ଡିତ ସମ୍ରାଟ ମୁଁ ଆଜି
କ୍ଷୁଦ୍ର ମୋ ଶିକ୍ଷାୟତନେ
ଶିକ୍ଷକ ଅଳପ ଅମଲା ମୁଁ ବେଶି
ବସି ଅଛି ସିଂହାସନେ l
ପରିଚାଳନାର ଦଣ୍ଡଟିଏ ଧରି
ଫାଇଲି ଚଷୁଛି ଆଜି
ମଧ୍ୟାହ୍ନ ଭୋଜନ, ପୋଷାକ ବଣ୍ଟନ
ଭଳି ଭଳି କାର୍ଯ୍ୟଏ ମଜ୍ଜି l
ସରସ ସୁନ୍ଦର ବିଦ୍ୟାଳୟ ମୋର
ରୂପରେ ଯାଇଛି ବଳି
ଛାତ୍ର ଛାତ୍ରୀ ମୋର ପାଠ ପଢ଼ା ବିନା
ଦୁଃଖରେ ହୁଅନ୍ତି ଭାଳି l
ଏମିତି ଜୀବନେ ଅବଶୋଷ ମୋର
ବଢିଚାଲେ ନିତି ନିତି
ଶିକ୍ଷକ ଅଭାବ ଶିକ୍ଷାଦାନ ପାଇଁ
କ୍ଷତିଗ୍ରସ୍ତ ଶିକ୍ଷାନିତୀ l
