STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ମୁଁ ସେହି ଚିତ୍ରକର

ମୁଁ ସେହି ଚିତ୍ରକର

1 min
219


ମୁଁ ଅଟେ ମାମୁଲୀ ଚିତ୍ରକର ଟିଏ,

   ରଙ୍ଗ ତୂଳୀ ଧରିଅଛି,

ତୁମ ମନ କଣ୍ଢେଇକୁ ରଙ୍ଗେଇବି

   କେତେ ଥର ଭାବି ଅଛି।


କଳ୍ପନାକୋଣାର୍କେ ଆଙ୍କିଦେବିବୋଲି

   ତୁମ ପ୍ରୀତିଛନ୍ଦା ତନୁ,

 ଅନେଇ ରହିଛି ଭାବ ବିହ୍ଵଳରେ

   ତୁମକୁ ମୁଁ କେତେ ଦିନୁଁ।  


ତୁମ ହଁ ଟିକୁ ଅପେକ୍ଷା ମୋ ଥିଲା

‌ କେବେ ହେଲ ନାହିଁ‌ ରାଜି,

ତେଣୁ ମୁଁ ଯାଉଛି ଅନେକ ଦୂରକୁ

   ପାଇବନି ଆଉ ଖୋଜି।


ବୁକୁତଳ କୋହ ଆଖିତଳ ଲୁହ

   ମାନନ୍ତି ନାହିଁ ମୋ କଥା, 

ଥିଲା ଯେଉଁ ଖୁସି ଆଜି ହେଲା ବାସି

   ମନେ ଭରିଯାଏ ବ୍ଯଥା ।


ରଙ୍ଗେଇବା ପାଇଁ ମନ କଣ୍ଢେଇକୁ

   ପାଉଣା କି ମାଗିଅଛି,

ନା ତୁମ ଗଭାର ସେ ରଜନୀଗନ୍ଧାକୁ

   ନଜର କିବା ଦେଇଛି।


ଜାଣେ ସବୁ କିଣା ଏଇଦୁନିଆଁରେ

   ଲୁହ କିଣା ଯାଏ ନାହିଁ,

ଲୁହ ଭିଜା ପ୍ରେମ କାନଭାସ ପରେ

   ରଙ୍ଗ ଆଉ ଲାଗୁନାହିଁ।


ଫଗୁଣକୁ ରଙ୍ଗ ମାଗିଥିଲି ଯେବେ

   ଶ୍ରାବଣୀକୁ ଦେଖାଇଲା,

ବିରହର ରଙ୍ଗ ଆଖି ଶ୍ରାବଣୀରେ

   ଧୋଇ ଫିକା ପଡ଼ିଗଲା।


ତଥାପି ଚୋରେଇ ଆଣି ଆଙ୍କିଦେବି

    ତୁମ ଓଠତଳ ହସ,

କହିବନି ଆଉ ମୋତେ ଚୋର ବୋଲି

   ପଛରେ ଦେବନି ଦୋଷ।


ଜାଣିପାରେ ନାହିଁ ତୁମ ଦେହେ କିବା

   ଫଗୁଣ କି ବାଜି ନାହିଁ,

ନା,ତୁମ ଗାଁରେ କି ମଳୟ ପରଶ

    ଛୁଇଁ ଛୁଇଁ ଯାଇନାହିଁ।


ମୋ ଟୋପାଏ ଲୁହ ମହଙ୍ଗା ପଡିବ

    ପ୍ରିୟା ତୁମ ଚଲାପଥେ,

ସେଦିନ ବୁଝିବ ଚିତ୍ରକରଟିର

 ‌‌ ଏ କଥାର ମୂଲ୍ୟ କେତେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance