STORYMIRROR

Pt. Nityananda Khamari

Tragedy Inspirational

4  

Pt. Nityananda Khamari

Tragedy Inspirational

ମୁଁ କର୍ଣ୍ଣ କହୁଛି

ମୁଁ କର୍ଣ୍ଣ କହୁଛି

1 min
478

ହେ ସୃଷ୍ଟି କର୍ତ୍ତା!

ହେ ଈଶ୍ବର!

ଦଶ ଦିଗ ପାଳ

ହେ ଚନ୍ଦ୍ର ଗ୍ରହ ନକ୍ଷତ୍ର ମଣ୍ଡଳ!

ହେ ସହସ୍ରାଂଶୁ ତେଜଦୀପ୍ତ ସ୍ୱୟଂ

ଜନ୍ମଦାତା ପ୍ରଭାକର ମାତା କୁନ୍ତୀ

ମୁଁ କଣ ଦୋଷ କରିଥିଲି

ଜାଣିଶୁଣି ଜନ୍ମଦେଲ ମୋର

କେଉଁ ଅଭିଶାପ

କ୍ରୁରତାର ଅଟ୍ଟହାସ୍ୟ….

ଗୁରୁ ଦ୍ରୋଣଙ୍କ ଶିଷ୍ୟତ୍ବ ପାଇଁ

ମିଳିନି ସୁଯୋଗ

ହେଲି ଉପେକ୍ଷିତ……

ସାଧନା ବଳେ ଲଭିଲି

ଗୁରୁପଦେ ଭଗବାନ ପର୍ଶୁରାମ

ଜଗତ ଜାଣିଲା

ପର୍ଶୁରାମ ଶିଷ୍ୟ ମୁହିଁ ମହାବୀର କର୍ଣ୍ଣ!

ତଥାପି ଲଭିଲି ଅଭିଶାପ..

ଇଏ କଣ ମୋର ଭୁଲ…

କୁହ…. କୁହ…..

ସର୍ବେ ନିରୁତ୍ତର….

ଧିକ ଧିକ ମୋ ଜୀବନ..

କ୍ଷତ୍ରୀୟ ହୋଇ ହେଲି ସୂତପୁତ୍ର..

ଧାର୍ମିକ ହୋଇ ମିତ୍ରତା ଅଧର୍ମେ..

ଦେଲ ନାହିଁ ପରିଚୟ…

ପୁତ୍ର ବୋଲି ତବ..

ସମୀପେ ଥିଲ କିନ୍ତୁ ଡାକି ପାରିଲିନି ମାତl

ଭାଗ୍ୟର ବିଡ଼ମ୍ବନା

ପ୍ରକୃତିର ଉପହାସ..

ଛଳ କପଟେ ହରଣ ମୋ ଅମୃତ କୁଣ୍ଡଳ

ପ୍ରଚାରିତ ହେଲା ମହାଦାନୀ କର୍ଣ୍ଣ

ହେ କେଶବ!

ତୁମେ କଣ ପାଇଁ ପରିଚୟ ଦେଲ ନାହିଁ

ଯୁଦ୍ଧର ମହା ସଂଗ୍ରାମେ

ଶୋଇଗଲି ପରାସ୍ତ ମହାରଥୀ ସାଜି

ଠିକ ସେତେବେଳେ କେଶବ

ତୁମେ ହିଁ ପରିଚୟ କଲ

ମହାବୀର କର୍ଣ୍ଣ

ପାଞ୍ଚ ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା

କୁନ୍ତୀଙ୍କ ଜୈଷ୍ଠ ପୁତ୍ର

ଇଏ କଣ ଉପହାସ ନୁହଁ ?

ବଧିଲି ଘଟତ୍କଚ, ବୀର ଅଭିମନ୍ୟୁ

ପୁତ୍ର ହନ୍ତା ଦୋଷରେ

ଦଳି ଚକଟି ହେଲା

ମୋ ପରି ଜ୍ୟେଷ୍ଠ ପିତାର ହୃଦୟ….

ହସ୍ତରେ ବୁହାଇଲି ରକ୍ତର ବନ୍ୟା..

ହେ ସମାଜର

ଶତ ଶତ ସୂର୍ଯ୍ୟ

ଶତ ଶତ କୁନ୍ତୀ

ମୋ ଭଳି କର୍ଣ୍ଣଙ୍କୁ ଜନ୍ମ ଦେଉଛ

ରେଲ ଲାଇନ କଡରେ ତ

ରାସ୍ତା କଡ଼ ବୃକ୍ଷ ମୂଳରେ

କଣ ପାଇଁ

ଜନ୍ମ ଦେଇ ଫିଙ୍ଗି ଦେଉଛ

ଡଷ୍ଟ ବିନ ଭିତରେ?

କୁହ କେତେଟା ମହାଭାରତ ଯୁଦ୍ଧରେ

ମୋ ଭଳି କର୍ଣ୍ଣଙ୍କ ମୁଣ୍ଡ ଗଡ଼ିବ

ପରିଚୟ ଥାଇ ପରିଚୟ ହିନା

ଜାରଜ ସନ୍ତାନ

ଆଜି କିନ୍ତୁ ମୋର ଅନୁରୋଧ

ପରିଚୟ ଦିଅ କର୍ଣ୍ଣ ମାନଙ୍କୁ

ତାଙ୍କ ମରିବା ଆଗରୁ

ନଚେତ ଧ୍ବଂସ ହେବ ପୃଥିବୀ

ଘୃଣିତ ହେବ ପିତା ମାତା ଶବ୍ଦ….

ଯୁଗେ ଯୁଗେ ନିନ୍ଦିତ ହେବ ହେ କେଶବ!

 ତୁମ ସମ୍ମୁଖରେ

ଅନ୍ୟାୟ -ଅଧର୍ମ -ମିଥ୍ୟା -ପ୍ରତାଡ଼ନା

ଘୃଣା -ଲାଞ୍ଛନା -ଉପହାସ ଓ ଛଳନା

ନଚେତ

ତବ ସୁଦର୍ଶନ ଚକ୍ର

ଶୀରଛେଦନ କରୁ ଗୁପ୍ତ ରଖିଥିବା

ଏ ସମାଜର ବଡ଼ ବଡ଼ିଆ

କଞ୍ଚା ମାଂସ ଲୋଭି

ନର୍କର କୀଟଙ୍କୁ….

ଆଙ୍ଗୁଳିରେ ନଚାଉ ଥିବା ଯାଦୁଗରଙ୍କୁ….

ଦିନ ଦ୍ବିପ୍ରହର ସୂର୍ଯ୍ୟା ଲୋକରେ

ପ୍ରଣୟର ପଶା ଖେଳୁ ଥିବା ହୀନ ଚରିତ୍ରଙ୍କୁ 

ପ୍ରତାରକ ପ୍ରେମର ପୂଜାରିଙ୍କୁ

ତେବେ କର୍ଣ୍ଣ ଭଳି ମହାରଥୀଙ୍କ

ଭାଗ୍ୟ ବଦଳିଯିବ

ନୀଳାମ ହେବନି ମହାଭାରତ ଯୁଦ୍ଧରେ

ଆଜିର ସ୍ୱାର୍ଥ ପର ରାଜନୀତିର

ମାୟା ଜାଲ ଭିତରେ

ମୁକ୍ତି ହେବ ମୋ ଭଳି

କର୍ଣ୍ଣଙ୍କ ଜୀବନ…

ଧର୍ମ ଓ ନ୍ୟାୟର ଜୟ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy