STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

1 min
207


ତ୍ରେତୟା ଯୁଗରେ     ଅଯୋଧ୍ୟା ନଗରେ

       ଆସିଥିଲେ ଅବତରୀ,

ଜନନୀ କୌଶଲ୍ୟା      ପିତା ଦଶରଥ

       କୋଳକୁ ମଣ୍ଡନ କରି।


ଦିବ୍ୟ ସୁସୁନ୍ଦର       ସୌମ୍ୟକାନ୍ତ ରୂପ 

       ନାମ ତାଙ୍କର ଶ୍ରୀରାମ,

ବସୁଧାର କ୍ଳେଶ        କରିବାକୁ ଦୂର

      ଆସିଥିଲେ ଧରାଧାମ।


ତିନି ମାତାଙ୍କର       ହୋଇ ଅତି ପ୍ରିୟ

      ହେଲେ ଗୁଣଗ୍ରାହୀ ପୁତ୍ର,

ଭାଇ ଭାଇ ମଧ୍ୟେ        ନିବିଡ଼ ସମ୍ପର୍କ

       ରଖିଥିଲେ ଯେ ପବିତ୍ର।


ଭରତ ଲକ୍ଷ୍ମଣ         ଶତ୍ରୁଘ୍ନ ସହିତେ

      ଚାରି ଭାଇ ମହାମାନ୍ୟ,

ଅବନୀର ଭାର         କରିଣ ଲାଘବ

      ସଂସାରକୁ କଲେ ଧନ୍ୟ।


ପିତୃସତ୍ୟ ମାନି       ବନବାସେ ଚଳି

       କାଟିଲେ ଚଉଦ ବର୍ଷ,

ପୁତ୍ରର କର୍ତ୍ତବ୍ୟ        ସାଧନାର ବ୍ରତ

       ପାଳି ରଖିଲେ ଆଦର୍ଶ।


ସୀତାଙ୍କ ହରଣେ     ପତ୍ନୀଙ୍କ ବିଚ୍ଛେଦେ 

      ଭୋଗିଲେ କଷ୍ଟ ଯନ୍ତ୍ରଣା,

ରାବଣ ନିଧନେ        ଦୁର୍ଗତି ଘୁଞ୍ଚାଇ 

       ପ୍ରଦାନ କଲେ କରୁଣା।


ଅଯୋଧ୍ୟା ପୁରର        ପ୍ରଭୁ ଅଧିପତି

      ଶ୍ରଦ୍ଧାରେ ପାଳିଲେ ପ୍ରଜା,

ସୁଶାସନ ନୀତି        ଜନ ହିତକାରୀ

     ଭାବେ ହେଲେ ଶ୍ରେଷ୍ଠ ରାଜା।


ନିଷ୍କଳଙ୍କ ଗୁଣେ       ମର୍ଯ୍ୟାଦା ପୁରୁଷ  

      ରଖିଲେ ଅକ୍ଷୟ କୀର୍ତ୍ତି,  

ଅମ୍ଳାନ ଚରିତ୍ର        ଭବେ ଅଦ୍ଵିତୀୟ  

       ଶାନ୍ତାକାର ଭାବମୂର୍ତ୍ତି।


ରାମ ରାଇଜର       ଅନନ୍ୟ ଐତିହ୍ୟ

      ରାମାୟଣ କଥାବସ୍ତୁ,

ଜନ ମାନସରୁ       କରେ ପାପ କ୍ଷୟ  

       ଆଶିଷ ଦିଏ ତଥାସ୍ତୁ।

     

       

       



      


       

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action