ମୋ ପ୍ରେମ କହୁଛି
ମୋ ପ୍ରେମ କହୁଛି
ଶୁଣ ଭାଇ ଏଇ ଅଳ୍ପ ଦିନ ହେଲା
ମୁଁ ଅବଶ୍ୟ ମରିଅଛି ,
ମଲାପରେ ମଧ୍ୟ ଗାଳି ମୁଁ ଖାଉଛି
ଭାଗ୍ୟକୁ ଆଜି ନିନ୍ଦୁଛି।
ଯେଉଁ ଦିନ ମଲି ବର୍ଷା ହେଲା ବୋଲି
ଅପଦଶିଆ ମୁଁ ହେଲି,
ଶବପୋଡା କାଠ ଓଦା ହେଲାବୋଲି
ରାଗରେ ଖେଞ୍ଚା ଖାଇଲି।
ଶବ ପୋଡା ବେଳେ ମଦପିଇଦେଲେ
ମୋତେ ମଧ୍ଯ ଗାଳିଦେଲେ,
ସଂସ୍କାର ସାରିଲେ ଘରେ ପହଞ୍ଚିଲେ
ପୁଣି ବି ନିନ୍ଦା ଗାଇଲେ।
ତିନି ପୁଅ ଦୁଇ ଝିଅ ଜ୍ବାଇଁ ସାଥେ
ଆଲୋଚନାମାନ ହେଲା,
ବୁଢ଼ା ମରିଗଲା ଶୁଦ୍ଧି କ୍ରିୟା ପାଇଁ
କିଛି ତ ଛାଡି ନ ଗଲା।
ସ୍ତ୍ରୀ ମୋର କହେ ଝାଡାବାନ୍ତିଆଟା
ମରିଗଲା ତରିଗଲା,
ସବୁଦିନ ପାଇଁ କଣ୍ଟାଟିଏ ଗଲା
ଝମେଲା ସବୁ ତୁଟିଲା।
ଏଲଆଇସି ଗୋଟେ କରିକି ଗଲାନି
ସର୍ବଖିଆଟାଏ ଥିଲା,
ନାଁ ବ୍ୟାଙ୍କ୍ରେ କିଛି ଟଙ୍କାଯେ ରଖିଲା
କାମରେ ତାହା ଆସିଲା ?
ବଡ଼ ପୁଅ କହେ ଜମି ଦି'ମାଣକୁ
ମୁହିଁ ସବୁଯାକ ନେବି,
ଶୁଦ୍ଧି କ୍ରିୟା ପାଇଁ ସମସ୍ତ ପଇସା
ଯାହା ମୁଁ ଖର୍ଚ୍ଚ କରିବି।
ସାନ ପୁଅ କହେ ମୁଁ କ'ଣ ନୁହେଁ
ବାପର ଜନ୍ମିତ ପୁଅ,
ଶୁଦ୍ଧି କ୍ରିୟା ଆମେ ସମସ୍ତେ କରିବା
ଜମିବାଡ଼ି ବାଣ୍ଟିଦିଅ।
ଜମି ସୁନା ରୁପା ଟୋକେଇ ପାଚିଆ
ସବୁ ବଣ୍ଟା ବଣ୍ଟି ହେଲା,
କିନ୍ତୁ ଗୋଟେ ଭଙ୍ଗା ଲଣ୍ଠନ ପାଖରୁ
ଝାମେଲା ଆରମ୍ଭ ହେଲା।
ଟଣାଓଟରାରେ କଥା ବଢ଼ିଗଲା
ବାଡାପିଟା ଲାଗିଗଲେ,
ମୁଣ୍ଡ ଫଟାଫଟି ହୋଇ ପରସ୍ପର
ମେଡିକାଲରେ ପଡ଼ିଲେ।
ଶୁଦ୍ଧି କ୍ରିୟା ମୋର ଅଧୁରା ରହିଲା
ନା ପୁଷ୍କର କି ଛଡାଗଲା,
ଆତ୍ମା ମୋର ଆଜି ଅପାଣିଆ ପୁଣି
ଅତୃପ୍ତ ହୋଇ ବୁଲିଲା।
ଅଣ ଶୁଦ୍ଧିଆ ଯେ ହୋଇ ତ ରହିଲେ
ଝିଅ ଜ୍ବାଇଁ ପୁଅ ବୋହୂ,
ତୁଚ୍ଛା ସମ୍ପତ୍ତିକୁ ବାଣ୍ଟି ନେବାପାଇଁ
ହେଉଛନ୍ତି ରାଉରାଉ।
ମଲାବେଳେ ତୁଣ୍ଡେ ମାହାର୍ଦ୍ଦ ନିର୍ମାଲ୍ୟ
କେହି ତ ଜଣେ ନ ଦେଲେ ,
ହେଲେ ଭାଇ ଭାଇ ଜମିବାଡ଼ି ପାଇଁ
ପିଟାପିଟି ଯାହା ହେଲେ।
ମଲା ବେଳେ ଭଲ ମଶିଣା ଖଣ୍ଡକ
ତାକୁ ବି ତ ଦେଲେ ନାହିଁ,
ଛିଣ୍ଡା କତରା ଓ ମୁଣ୍ଡି ଛାଞ୍ଚୁଣିରେ
କାମଟା ଦେଲେ ଚଳେଇ।
ବଞ୍ଚିଥିବା ବେଳେ ମରିବା ପାଇଁକି
ଯମକୁ ଡାକିଲା ବେଳେ,
ସ୍ତ୍ରୀ ମୋର କହେ ଖସି ଚାଲିଯିବ
(କ'ଣ)ଘାଣ୍ଟି ହେବି ମୁଁ ଏଠାରେ ?
ପାଳି ପଡୁଥିଲା ବୁଢାବୁଢି ଆମେ
ଏପଟ ସେପଟ ହେଉ,
ମାସେ ମାସେ କରି ଏପୁଅ ସେପୁଅ
ପାଖେ ଖୁଣ୍ଟା ଖାଉଥାଉ।
ଭାବିଥିଲି ପୁଣି ମଲାପରେ ମୁହିଁ
ଭାଇ ଭାଇ ମିଶିଯିବେ,
ହେଲେ ଆଜିଯାହା ଦେଖୁଅଛି ଭାଇ
ନା, ବାଟକୁ କେବେ ଆସିବେ?
ମଲାବେଳେ କିବା କେହିବା କାନ୍ଦିଲେ
ବରଂ,ଖୁସି ହେଉ ଥିଲେ,
ସବୁ ସ୍ଵାର୍ଥପର କେହି ନୁହେଁ କାର
ମିଛ ମାୟା ସଂସାରରେ।
ଆଶା କରିଥିଲି ପିଲାଏ ମୋ ପାଇଁ
ସ୍ମୃତି ସଭାଟି କରିବେ,
ପାଞ୍ଚ ମୁଖେ ମୋର ନାଆଁ ଗୁଣନେଇ
ମୋତେ ଉଦ୍ଧାର କରିବେ।
ହେଲେଆଶାମୋର ଆଶାରେ ରହିଲା
ଅପାଣିଆ ହୋଇ ମଲି,
କୁଳାଙ୍ଗାର ଏହି ଅଯୋଗ୍ୟ ମାନଙ୍କୁ
ଯେଣୁ ଜନ୍ମ ଦେଇଥିଲି।
ସେ କଥାକୁ କହି କିଛି ଲାଭ ନାହିଁ
ପ୍ରାରବ୍ଧ ମୁଁ ଭୋଗୁଅଛି,
ମୋର ଇଷ୍ଟଗତି ଠାକୁରେ ଜାଣନ୍ତି
କରିବେ ମୋତେ ମୁକତି,
ସେ ଆଶାଭରଷା ଏ ଯାଏ ରଖିଛି
ସେହି ଏକା ମୋର ସାଥୀ।
ହଉ ଭାଇ ତୁମେ ତୁମବାଟେ ଯାଅ
ମୁଁ ଯାଉଛି ମୋର ବାଟେ,
ରାମ ନାମ ସତ୍ୟ ଆଉ ସବୁ ମିଛ
ଜାଣିଲି ଦୁନିଆଁ ହାଟେ।
