ମୋ ଲେଖନୀ
ମୋ ଲେଖନୀ
ଯେ ଦିନୁ ହୃଦୟ
ଛୁଇଁଛି ଯନ୍ତ୍ରଣା
ଲେଖନୀ ହାତେ
ଲେଖୁଛି କବିତା
ହୃଦୟର ବ୍ୟଥା ।
ଝରିଯାଏ ଶବ୍ଦ ଯେତେ
ଯନ୍ତ୍ରଣାର ଗାଥା
ହୃଦ ପରିଭାଷା
ଲେଖନୀରୁ ଯାଏ ଝରି
ହୃଦୟ ହିଁ ଜାଣେ ।
ଅନ୍ତର ଭାବନା
ଚଳାଇ ଶବ୍ଦର ତରୀ
କେବେ ପ୍ରୀତି ହସେ
ମହମହ ବାସେ
ଫୁଟେ ଅନୁରାଗ ଫୁଲ ।
କେବେ ପ୍ରତାରଣା
ମିଥ୍ୟା ପ୍ରବଞ୍ଚନା
ଉଡାଇ ଯନ୍ତ୍ରଣା ଝୁଲ
ଆଖି ପଲକରେ
ଭରିଯାଏ ଲୁହ ।
ଅଭିମାନେ ପଡେ ଝରି
ଧୋଇ ପାରେନାହିଁ
ହୃଦୟର କ୍ଷତ
ଲହୁ ଲୁହେ ଥାଏ ପୂରି ।
ଓଠ ସିନା ହସେ
ଛଳନାର ହସ
ସମ୍ପର୍କ ର ସେତୁ ବାନ୍ଧେ
ଅକୁହା ଯନ୍ତ୍ରଣା
ଅଦୃଶ୍ୟ ବେଦନା
ଝରେ କବିତାର ଛନ୍ଦେ।

