ମୋ ଦେଶ ଭାରତ
ମୋ ଦେଶ ଭାରତ
ଭାରତେ ଭରତ ଦୁଷ୍ୟନ୍ତଙ୍କ ପୁତ୍ର
ବୀରେ ବୀରଶିରୋମଣିରେ ଭୂଷିତ
ରାଜାଙ୍କ ରାଜୁତି କାଳେ ତାଙ୍କ ନାମେ
ସିନ୍ଧୁ ନଦୀ ଅବବାହିକା ସଙ୍ଗମେ
ଭାରତ ନାମେ ବିଦିତ
କ୍ରମେ କାଳ ବଳେ ସମଗ୍ର ଦେଶରେ
ହେଲା ସେ ନାମ ବିଖ୍ୟାତ.।।
ସେ ଦିନୁ ଭାରତ ଭୂଖଣ୍ଡ ଯା ନାମ
ପକୃତିରେ ସଜ୍ଜା ହରେ ତନୁ ମନ
ବୀର ପ୍ରସବିନୀ ମୋ ଭାରତ ମାତା
ତା କୋଳ ସନ୍ତାନ ସେ ଜଗତ ଜିତା
ଜନ୍ମି କେତେ ଜ୍ଞାନୀ ଗୁଣି
ସ୍ଵୟଂ ପରଂବ୍ରହ୍ମ ହେଲେ ଆବିର୍ଭାବ
ଯା କୋଳ କଲେ ମଣ୍ଡଣି .।।
ମୋ ଦେଶ ସଂସ୍କୃତି ସବୁଠାରୁ ଭିନ୍ନ
ତା ସନ୍ତାନ ଜାଣେ ତା ଆତ୍ମ ସମ୍ମାନ
ଜୀବନକୁ ବଳି ଦେଇ ହସି ହସି
ଅହିଂସାରେ ତଡି ଦେଲେ ସେ ବିଦେଶୀ
ଶାନ୍ତି ପ୍ରତୀକ ମୋ ଦେଶ
ବାର ଜାତି ତେର ଗୋଲା ଭାଇଚାରା
ନାହିଁ ଭେଦ ଭାବ ଦ୍ୱେଷ.।।
ବେଦ ଗନ୍ତାଘର ଜ୍ଞାନର ଭଣ୍ଡାର
ଖଣିଜ ଦ୍ରବ୍ୟରେ ପୁରିଛି ଉଦର
ପଦ ଧୌତ କରେ ସୁନିଳ ସାଗର
ହିମାଳୟ ଶୋହେ ସଦା ଯାର ଶିର
ଗର୍ଭେ ପୂଣ୍ୟତୋୟା ନଦୀ
ଗଙ୍ଗା ଗୋଦାବରୀ ନର୍ମଦା କାବେରୀ
ଯମୁନା ଓ ସରସ୍ଵତୀ .।।
ଶାନ୍ତି ଓ ମୈତ୍ରୀର ତ୍ରିରଙ୍ଗା ପତାକା
ବାଣ୍ଟୁଥାଏ ସଦା ବିଜୟର ବାର୍ତ୍ତା
ଆମରି ରକ୍ତରେ ବହୁଛି ତା ରକ୍ତ
ଶତ୍ରୁ ପାଶେ କରୁ ନାହୁଁ ମଥା ନତ
ଭାରତୀୟ ପରିଚୟ
ଏ ମାଟି ଆମର ମଥାର ତିଳକ
ଗାଉଥିବା ଜୟ ଜୟ.।।