ମହକୁ ମହକରାଶି କବିତା ଦେହରୁ
ମହକୁ ମହକରାଶି କବିତା ଦେହରୁ
କବିମାନେ ମନୋବଳେ ସାଜ ମହାମେରୁ
ମହକୁ ମହକ ରାଶି କବିତା ଦେହରୁ ।
କଳେବର ଭାବ ରସେ ହେଉ ରସାଣିତ
ଶବଦ ବିଭାରେ ପୁଣି ସେ ଅନୁରଣିତ ।
ବିବାହିତା କନ୍ୟାଟିଏ ସୁନ୍ଦର ଯେପରି
ପିନ୍ଧାଇ ଶବ୍ଦ-ଗହଣା ଦିଅ ବିଦା କରି ।
ଓଠ ଛୁଇଁ ଝରି ପଡୁ ଖିଲିଖିଲି ସହ
ବିତରି ଦେଉ ଯେତେକ ତାହାଠି ସୁବାସ ।
ଶିକ୍ଷଣୀୟ ନାନା ବର୍ତ୍ତା କରିକି ବହନ
ଉଭା ହେଉ ଦୃଷ୍ଟି ପଥେ ରୂପେ ଭିନ୍ନ ଭିନ୍ନ ।
ମୁଗ୍ଧ କରୁ ମନ-ପ୍ରାଣ ତାହାର ପରଶ
ଚିନ୍ତା ଚେତନାର ହେଉ ନୂତନ ଉନ୍ମେଷ ।
ସକଳ ଭାବନା ହେଉ ସମାଜର ହିତ
ପ୍ରଚେଷ୍ଟାର ସାଜ ପିନ୍ଧି ବଢ଼ାଅ ମହତ ।
ସମାଜ ପରିବର୍ତ୍ତନେ ପ୍ରେମ-ପୁଷ୍ପାଞ୍ଜଳି
ଢାଳ ପ୍ରତି ଅଞ୍ଚଳରେ ହରଷକୁ ତୋଳି ।
ଯେତେ ମହକି ଉଠିବ ଆପଣା ଦେଶରେ
ବାସ ଛୁଟାଇ ପାରିବ ବିଦେଶ ମଧ୍ୟରେ ।
ସୃଷ୍ଟି ସହ ସ୍ରଷ୍ଟା ତା'ର ହୋଇ ମହକିତ
ଆନ ନେତ୍ର ଖୋଲି ନିଶ୍ଚେ ମରତେ ଜୀବିତ ।