ମୋ କବିତା
ମୋ କବିତା

1 min

614
କେବେ ଯେ ଆସିଥିଲା
ଆସି ପରିଚିତ ହେଲା
ଏକ ଛବିଳ ପୁସ୍ତକର
ବର୍ଣ୍ଣିଳ ଫର୍ଦ୍ଦରୁ ମନେ ନାହିଁ ।
ସମ୍ପର୍କ ଏତେ ନିବିଡ ନୁହେଁ
ସେ ହଜିଯାଏ ,
ସମୟର ଭଉଁରୀରେ
ମୁଁ ବି ଭୁଲିବାରେ ଲାଗେ ।
ପୁଣି କେଉଁ ଅଜଣା ତିଥିରେ
କାହା କଅଁଳ ଛୁଆଁରେ
ଝଲସି ଉଠେ ଅଙ୍କୁରଟିଏ
ବିଜନ ବନଭୁମି ମୁଖରିତ ହୁଏ ।
ମୋ ମନ ଆକାଶ ଆଚ୍ଛନ୍ନ
ହୃଦୟ କନ୍ଦରରେ
ଶବ୍ଦର ଲୁଚକାଳି ଖେଳ
ଭଲ ଲାଗେ, ଭାରି ଭଲ ଲାଗେ ।
ଦିନେ ତ ଲିଭିଯିବ
ଏ ଜୀବନର ଦୀପ
ଚାଲିଯିବେ ସ୍ଥାବର ଜଙ୍ଗମ
ଝରିଯିବ ଗଛରୁ ପତ୍ର ।
ହେଲେ ସେ ରହିଥିବ
ଆଶେପାଶେ ମୋର
ଯେପରି ସେ ବନ୍ଧୁ
ଅସରନ୍ତି ଜନ୍ମର ।