ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
ଦ୍ବାର ଦ୍ବାର ବୁଲି ଦୁଃଖୀଟି
ଦେଖ ମାଗଇ ଭିଖ
ଭିଖ ମୁଠେ ଯେବେ ପାଅଇ
ହସ ଖେଳେ ତା ମୁଖ ।
ସକାଳୁ ବାହରି ଆସଇ
ବୁଲେ ସେ ଘରେ ଘରେ
ଯିଏ ଯାହା ଦେଲେ ନେଇ ସେ
ଯାଏ ତାର ବାଟରେ ।
କିଏ ଯଦି ତାକୁ ନ ଦେଲା
ଦୁଃଖ ନାହିଁ ମନରେ
ଯେତିକି ପାଏ ସେ ସେତିକି
ଚଳେ ଖୁସି ମନରେ ।
ତଥାପି କଲ୍ୟାଣ କରଇ
ତାର ହୃଦ ମଧ୍ୟରେ
ଅପମାନ ଯଦି ମିଳଇ
କିଛି କୁହେନି କାରେ ।
ଭାଗ୍ୟକୁ ଆଦରି ଚାଲଇ
ନିଜ ଗନ୍ତବ୍ୟ ସ୍ଥଳେ
କେବେ ଖାଏ ପିଏ ଓପାସେ
ପଡି ରହେ ନିଶ୍ଚଳେ ।
ଭଖ ମୁଠେ ଦେଲେ ଦିଅ ତ
ନ ଦେଲେ ତ ନାହିଁ
କାହାର ଥାଳଟି ଭାଙ୍ଗନି
ପାପ ଘୋର ତ ସେହି ।
ଯଦି ଲୁହ ପୋଛି ପାରୁନ
ଦୁଃଖ ଦିଅନି ମନେ
ନାନ୍ଦା ଅପମାନ ଆଣନି
କେବେ କାହା ଜୀବନେ ।
ଭିଖ ମାଗେ ସିନା ଦୁଃଖୀଟି
ଅଛି ତା ସ୍ବାଭିମାନ
ତାହାରି ପାଖରେ ରହିଛି
ଭଲ ଅନେକ ଗୁଣ ।
ସିଏ ବି ଆମର ନମସ୍ୟ
ସିଏ ଆମରି ଗୁରୁ
ଏଇ ଶିକ୍ଷା ଆମେ ପାଇଛୁ
ମଧୁ ବର୍ଣ୍ଣବୋଧରୁ ।
ଦୁଃଖୀଟିଏ ଦୁଃଖ ଜାଣଇ
ଦୁଃଖୀ ମନର ବ୍ୟଥା
ସର୍ବଦା କର୍ମର ପଥରେ
ଲେଖେ ଜୀବନ ଗାଥା ।
ଛିଣ୍ଡା କନ୍ଥା ଥାଏ ଦେହରେ
ମନ ନିର୍ମଳ ତାର
ତଥାପି ଭୋକିଲା ଦେଖିଲେ
ସିଏ ଦିଏ ଆହାର ।
ଧନ ଥିଲେ କଣ ଲାଭଟି
ଯଦି କୃପଣ ମନ
ଦୁଃଖୀ ରଖେ ସ୍ବାଭିମାନ ତା
ସିଏ ଦୁଃଖୀଠୁ ହୀନ ।