STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ମାଟି ମାଆର ଦାୟାଦ ସିଏ

ମାଟି ମାଆର ଦାୟାଦ ସିଏ

1 min
27.1K


ମାଟି ମାଆର ଦାୟାଦ ସିଏ

ଦୁଃଖ ଧରିଛି ଜାବୁଡି

ଦେହଟା ସାରା କାଦୁଅ ପାଣି

ଅସ୍ତି ପଞ୍ଜରା ହେଉଛି ଗଣି

ଭୋକ ଶୋଷକୁ ମନୁ ପାଶୋରି

ମାଟି ମାଆର ସୁଖ ସୁ ମରି

ହସ ଫୁଟାଇ ସଭିଙ୍କ ମୁଖେ

ଆହାର ଦିଏ ଯୋଗାଡି l

ଖରା ବରଷା ନାହିଁ ଖାତିରି

ମୁଣ୍ଡର ଝାଳ ତୁଣ୍ଡରେ ମାରି

ଚାଷ କୁ କରି ନିଜ ବେଉଷା

ଶେଜ ଛାଡଇ ଫଟାଇ ଉଷା

ତାହାକୁ ଦେଖି ଆଳସ୍ୟ ଭାନୁ

ଉଠଇ ମୁଣ୍ଡ ଟୁଙ୍ଗାରି l

ଆହାର ତାର ଶାଗ ପଖାଳ

ବାସ ଟି ନଡ଼ା ଛପର ଚାଳ

ପ୍ରକୃତି ସୁଖ ଦିଏ ଓଗାଳି

ଚନ୍ଦ୍ର ସୂରୁଜ କରନ୍ତି କେଳି

ମାଘର ଯାଡ଼େ ଶିରାଳ ଦେହ

କତରା ହୁଅଇ ଘୋଡି l

ପଢିନି ପାଠ ସି ଅକ୍ଷର

ସବୁ ଲୋକଙ୍କ ହୁଏ ଶିକାର

ସୁଖ ତା ପାଇଁ ସଦା ମହଙ୍ଗା

ଚଳାଇ ନିଏ ସଂସାର ଡ଼ଙ୍ଗା

ମନ ବଳକୁ ଦୃଢତା କରି

ସୁଖ ଦେଇଚି ଫୋପାଡି l

ପୁଙ୍ଗୁଳା ଦେହ ନୁଖୁରା ବାଳ

ଅଭାବେ ସଦା କାଟୁଛି କାଳ

ବାଧକ ଶିଶୁ କାଖରେ ଧରି

ଘରଣୀ ସବୁ ସୁଖ ସୁମରି

ଲୋତକ ଢାଳି ଠାକୁର ପାଶେ

ମୁଣ୍ଡ ଦିଅଇ କଚାଡି l

କେଉଁଟି ରାତି କେଉଁଟି ଦିନ

ତାପାଇଁ ସବୁ ଅଟେ ସମାନ

ସୂରୁଜ ଦେବ ଗଲେ ବାହୁଡି

ଘରକୁ ଫେରେ ଅନ୍ଧାର ହୁଡ଼ି

ମସିଣା ପାରି ଦଣ୍ଡ ଦୁଆରେ

ଅରୁଚି କ୍ଷଣେ ଘୁଙ୍ଗୁଡ଼ି l

ଗୋଟିଏ କଥା ଜାଣିଛି ସିଏ

ମାଟି ମାଆର ଦାୟାଦ ସିଏ

ମାଆର ମୁଖେ ଫୁଟାଇ ହସ

ଛାଡ଼ିବ ତାର ଶେଷ ନିଶ୍ଵାସ

ତାହାରି କୋଳେ ବିଲୀନ ହେବ

ମାଟିକୁ ଦାନ୍ତେ କାମୁଡି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational