STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ମାତୃଭାଷା ପାଇଁ ....

ମାତୃଭାଷା ପାଇଁ ....

1 min
374

ତୁମେ ତ୍ୱରିତ ସ୍ଫୁରିତ ହୁଅ ଜିହ୍ଵାଗ୍ରରେ ମୋର

ସ୍ୱୟଂ ମାତା ବାଣୀ ସମ ଶବ୍ଦବ୍ରହ୍ମ ସାଜି,

ଭାବନାର ସିନ୍ଧୁ ମନ୍ଥନରୁ ଝରି ଝରି ଆସ ତୁମେ

ପୀୟୂଷର ଶତଧାରା ନିର୍ଝରିଣୀ ସାଜି। 


ଉଚ୍ଚାରଣେ ସ୍ୱତଃ ଆସ ଭାବନାର ଅନ୍ତରୀକ୍ଷୁ

ସୂଚାଇ ସୂଚକ ତୁମ ଗୌରବର ଗାଥା,

ତୁମେ ହିଁ ତ ପରିଚୟ ମୋ ଜନ୍ମ ମାଟିର

ମାଆ ପରି ତୁମେ ବୁଝ ମୋର ସବୁ କଥା ବ୍ୟଥା। 


ତୁମକୁ ନେଇ ମୋ ଚିତ୍ତେ ଭରା ଭରା ସୁପ୍ତ ଅହଙ୍କାର

ତୁମେ ହିଁ ତ ସାଧନ ଓ ସାଧ୍ୟ ପୁଣି ତୁମେ,

ତୁମ ବିନା ଭାବନାରେ ଲାଗେ ନାହିଁ ପର

ଭୂମି କି ଆକାଶେ ହେଉ ସାଥେ ସଦା ତୁମେ। 


ମଧୁରୁ ମଧୁର ତୁମ ଉଚ୍ଚାରଣ ଭାବୁକ ଅଧରେ

ମାଟି ଓ ମମତା ତୁମେ ଜୀବନର ପର୍ଣ୍ଣ କୁଟୀରରେ,

ବାତ୍ସଲ୍ୟର ସତେ ତୁମେ ନିର୍ବିକାର ଜୀବନ୍ତ ଆଧାର

ଚତୁର୍ବର୍ଗ ଫଳ ପ୍ରାପ୍ତି ହୁଏ ତୁମ୍ଭ ଧୂଳି ଅଗଣାରେ। 


କଳ୍ପନାର କବିତାରେ ତୁମେ ପରା ନିଖୁଣ କୋଣାର୍କ

ମୁଁ ଏକ ଧର୍ମପଦ ଯିଏ ତୁମ ଚେଷ୍ଟିତ ରକ୍ଷକ,

ଦେବିନାହିଁ ଆତ୍ମାହୁତି ଚନ୍ଦ୍ରଭାଗାର ଗଭୀର ଜଳରେ

ଜୀବ ଥିବା ଯାଏଁ ଥିବି ତୁମର ହିଁ ଏକାନ୍ତ ସେବକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract