STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମାରିଦେ

ମାରିଦେ

1 min
269


ମାରିଦେ ମାରିଦେ ଢକ ଢକ ଭାଇ

   ବୋତଲ କରିଦେ ଖାଲି,

ମାରିଦେ ମାରିଦେ ମୋହରଟି ଭାଇ

   ବୁଲି ନିର୍ବାଚନ ରାଲି।


ମାରିଦେ ମାରିଦେ ଚାଟୁ ରଙ୍ଗ ଭାଇ

    ମନଭୁଲା ଇସ୍ତାହାରେ,

ମାରିଦେ ମାରିଦେ ଚୂନକଳା ପୁଣି

    ସତୀଆ ନାନୀ ମୁହଁରେ।


ମାରିଦେ ମାରିଦେ ପ୍ରେମ ଶର ଭାଇ

   ପାନପତ୍ର ମଝି ଦେଖି,

ମାରିଦେ ମାରିଦେ କରେଇକି ଆଖି

   ଯଦି କରିବୁ ତୁ ପ୍ରୀତି।


ମାରିଦେ ମାରିଦେ ଦେଶୀ କୁକୁଡ଼ାର

   ବେକମୋଡି ମାରିଦେ,

ମାରିଦେ ମାରିଦେ ଗେଫା ମାରିଦେଇ

   ଉଦର ତୋ ଭରିଦେ।


ମାରିଦେ ମାରିଦେ ପାନରେ ଚୂନ ତୁ

   ଗାଲରେ ତୋ ଯାକି ଦେ,

ମାରିଦେ ମାରିଦେ ରାଜସ୍ଵ ଦେବସ୍ଵ

   ଅଣ୍ଟାରେ ତୋ ଖୋସି ଦେ।


ମାରିଦେ ମାରିଦେ ଆଖିରେ କଜଳ

   ସବୁ କଳାକରି ଦେ,

ମାରିଦେ ମାରିଦେ ଜିନ୍ ଡ୍ରେସ୍ ବାବୁ

    ପାଶ୍ଚାତ୍ୟକୁ ଟେକି ଦେ।


ମାରିଦେ ମାରିଦେ ସୁ ସୁ କରି

    ଚିଲମରୁ ଧୂଆଁ ଉଡୁ,

ମାରିଦେ ମାରିଦେ ମାଛ କଙ୍କଡା ତୁ

    ଆଉ କାହା ଗାଡିଆରୁ।


ମାରିଦେ ମାରିଦେ ଇନ୍ଦିରା ଆବାସୁଁ

    ଭିତୁରିଆ କିଛି ମାଲ୍,

ମାରିଦେ ମାରିଦେ ଉପୁରି ଗୋବିନ୍ଦ

   ରାସ୍ତା ପଛେ ହେଉ ଖାଲ।


ମାରିଦେ ମାରିଦେ ସାରା ଦୁନିଆଁକୁ

   ଯେତେ ପଟି ମାରିଦେ,

ମାରିଦେ ମାରିଦେ ଷ୍ଟାଇଲ ମାରି ତୁ

   ଖାଣ୍ଟି ମିଛ କହି ଦେ।


ମାରିଦେ ମାରିଦେ ଗୁଆଘିଅ ଛୁଙ୍କ

    ପାଟିରୁ ତୁଣ ନ ଛାଡୁ,

ମାରିଦେ ମାରିଦେ ନାଲି ଲଙ୍କା ଗୁଣ୍ଡ

    ହୋଇଯା' ପରିବା ସାରୁ ।


ମାରିଦେ ମାରିଦେ ନିଜ ମଥାପରେ

   ଆଉ କାହା ପାଦ ଧୂଳି,

ମାରିଦେ ମାରିଦେ ଆଉ କା'ଛାତିରେ

   ନିଜର ପୋଷ୍ଟର ଧରି।


ମାରିଦେ ମାରିଦେ ଯେତେ ଗାଲୁମାରି

   ଚକମା ଦେଖେଇ ଦେ,

ମାରିଦେ ମାରିଦେ ଅନ୍ଯକୁ ଧକ୍କାଏ

    ନିଜକୁ ଉଠେଇ ନେ।


ମାରିଦେ ମାରିଦେ ପବନରେ ଦାଗ

    ପାଣିରେ ପକେଇ ଗାର,

ମାରିଦେ ମାରିଦେ କଥାରେ 'ନଥା' ତୁ

    ଚଖେଇ ମିଠା ଜହର। 


ମାରିଦେ ମାରିଦେ ଯେତେ ମାରିମାରି

   ମହାପାତ୍ର ବନିଯା',

ମାରିଦେ ମାରିଦେ ଏହି ବୀଜମନ୍ତ୍ର

   ନିଜ ହୃଦେ ଜପୁଥାଆ।


ମାରିଦେ ମାରିଦେ ନିର୍ମାଲ୍ୟରେ ହାତ

   ଭଦ୍ରଲୋକ ହୋଇଯାଆ,

ମାରିଦେ ମାରିଦେ ସର୍ବସ୍ବ ମାରିଦେ

    ପଛ କଥା ଭୁଲି ଯାଆ। 


ମାରିଦେ ମାରିଦେ ଆଣ୍ଟ କରି ଖିଲ

    ଖୁଣ୍ଟି କାଳେ ଉପୁଡିବ,

ମାରିଦେ ମାରିଦେ ଦାନ୍ତ ହାଣ୍ଡିକରେ

    ସବୁ ତୋର ହୋଇଯିବ।


ଏମିତି ଅନେକ "ମାରିଦେ" ଶବ୍ଦରେ

    ପଦ ଲେଖି ଲାଭ ନାହିଁ,

ମାରିବୁ ଯଦି ତୁ ସ୍ବାର୍ଥକୁ ମାରିଦେ

    ମୂର୍ଖ ଅପର୍ତ୍ତି କହ‌ଇ ।


Rate this content
Log in

Similar oriya poem from Comedy