STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ମାର୍ଗଶିର କୃଷ୍ଣାଷ୍ଟମୀ

ମାର୍ଗଶିର କୃଷ୍ଣାଷ୍ଟମୀ

1 min
362


ଉତ୍କଳେ ବହୁ ପୂଜା ବିଧି 

ରହିଛି ଅନେକ ପ୍ରସିଦ୍ଧି 

ତନ୍ମଧ୍ୟେ ଅଛି ମାର୍ଗ-ଶିର 

ଲକ୍ଷ୍ମୀ ପୂଜନ ପ୍ରାୟ ସାର 

ଆଦ୍ୟରେ ହୋଇ ଥିଲା ସ୍ଥିର

ପ୍ରଥମ ମାସ ମାର୍ଗ-ଶିର

ମାର୍ଗଶିର ର କୃଷ୍ଣାଷ୍ଟମୀ 

ନାମିତ ପ୍ରଥମା ଅଷ୍ଟମୀ

ପୋରୁଆଁ ନାମେ ଲୋକାଚାରେ 

ପାଳନ ହୁଏ ଉତ୍କଳରେ

ଘରର ପ୍ରଥମ ସନ୍ତାନ

ପୋରୁଆଁ ବିଧିରେ ବନ୍ଦାଣ

ମାନ୍ୟତା ଅଛି ସମାଜରେ

ପ୍ରାୟତଃ ଉତ୍କଳ ରାଜ୍ୟରେ

ସନ୍ତାନ ଜ୍ୟେଷ୍ଠ ରୂପେ ଜାତ 

ପୋରୁଆଁ ହେବା ସୁନିଶ୍ଚିତ

ଭିନ୍ନତା ନାହିଁ ତିଳେ ମାତ୍ର

କେବଳ ଜ୍ୟେଷ୍ଠ ସମ୍ବର୍ଦ୍ଧିତ 

ଉଭୟ ପୁଅ ଅବା ଝିଅ

ପୋରୁଆଁ ବିଧାନ ନିର୍ଣ୍ଣୟ

ଆସଇ ମାମୁଁ ଘରୁ ଭାର

ନୂତନ ବସ୍ତ୍ର ର ସମ୍ଭାର 

ଯୋଗାଡ ପିଠା ମିଠା ସହ 

ପୋରୁଆଁ ଭାର ମହମହ

ହଳଦୀ ପତ୍ରରେ ଏଣ୍ଡୁରି 

ମହକ ଉଠେ ସର୍ବୋପରି


ପଞ୍ଚ ପଲ୍ଲବ ଓ ପଞ୍ଚ ଶସ୍ୟ

ଯୋଗାଡ ହୁଅଇ ଅବଶ୍ୟ

କଳସ ବରୁଣ ପୂଜନ

ଷଠୀ ଦେବୀଙ୍କୁ ଆବାହନ

ମନାସି ଶୁଭ ମାତୃ ଗଣ

ପୂଜନ ହୁଏ ଆୟୋଜନ

ପୋରୁଆଁ-ଯୋଗ୍ୟ ସନ୍ତାନର 

ସ୍ନାନାନ୍ତେ ପୋରୁଆଁ ବେଭାର

ନବ ବସ୍ତ୍ର ପରିଧାନ ପରେ 

ଚନ୍ଦନ ଚିତା କପାଳରେ 

ସନ୍ତାନ ବସେ ପିଢ଼ା ପରେ

କ୍ରମେ ବନ୍ଦାଣ କ୍ରିୟା ଧିରେ 

ଧୂପ ଦୀପ ସାଥେ ଅକ୍ଷତ

ପ୍ରାୟ ସବୁ ବିଧି ସଙ୍ଗତ

କାନରେ ଫୁଲ ଲଗାଇ

ବନ୍ଦାଣ ସମ୍ପନ୍ନ ହୁଅଇ

ଷଠୀ ମା, ଗୁରୁଜନ ପାଦେ 

ଆଶିଷ ଭିକ୍ଷା ହୁଏ ହୃଦେ


ଅଷ୍ଟମୀ ପୂଜା ବିଧି ଧାରେ

ଏଣ୍ଡୁରି ପିଠା ପ୍ରତି ଘରେ

ହଳଦୀ ପତ୍ର ସହିତରେ

ପିଷ୍ଟକ ଅତି ଯତନ ରେ

ଚହଟେ ବାସ ମହମହ 

ସହଜେ ହୁଏ ଅନୁମେୟ

ପୋରୁଆଁ ସାଥେ ମାମୁଁ ଘର

ସମ୍ପର୍କର ମିଠା ଅପାର

ଅଷ୍ଟମୀ ଯଦି ଗୁରୁବାରେ

ଲକ୍ଷ୍ମୀ ପୂଜନ ଏକା ଧାରେ

ସଂଯୋଗ ବଳେ ପରିବେଶ 

ଗୁଣିତ ହୁଏ ଖୁସି ହସ

ପୋରୁଆଁ ସାଥେ ମାଣ ବସା 

ହୃଦୟେ ଭରି ଯାଏ ଆଶା


ନିଆଳି ମାଧବ ଠୁ ଭାର

ପୋରୁଆଁ ଧାରେ ଶ୍ରୀମନ୍ଦିର

କପାଳି ମଠ ମାମୁଁ ଘର

ପୋରୁଆଁ ଲିଙ୍ଗରାଜଙ୍କର

ଉତ୍କଳେ ଯେଉଁ ପରମ୍ପରା

ସହଜେ ସମ୍ପୂର୍ଣ୍ଣ ନିଆରା


ହେ' ଜ୍ୟେଷ୍ଠ ପୁତ୍ର କର ଚିନ୍ତା

ବୃଦ୍ଧ ବୟସେ ପିତାମାତା

ଚଳନ୍ତି ଦେବତା ସମାନ 

ସମ୍ମାନ ସହ କର ଯତ୍ନ

ପୋରୁଆଁ ସମ୍ବର୍ଦ୍ଧନା ହେଜ 

ସମ୍ମାନ ଦେବା ଅନିବାର୍ଯ୍ୟ 



Rate this content
Log in

Similar oriya poem from Abstract