ମାଆ
ମାଆ
ଦେଖିନି କେବେବି ମୁଁ ଏଇ ଦୁନିଆରେ
ଲକ୍ଷ୍ମୀ, ସରସ୍ବତୀ ରୂପ
ପୂଜି ନାହିଁ କେବେ ତାଙ୍କରି ଚରଣ
ଭକତିରେ ଜାଳି ଧୂପ ।
ଦେଖିଛି ମୋ ପାଖେ ରକତ ମାଂସରେ
ଗଢ଼ା ଯେ ମଣିଷଟିଏ
ମୋ ପାଇଁ ସେ ଅଟେ ଏଇ ଦୁନିଆରେ
ଦେବୀଙ୍କ ପ୍ରତିମାଟିଏ ।
ବିନା ଛୁଟିରେ ଯେ କରିଯାଏ କାମ
ଆହା ଟିକେ କରେନାହିଁ
ସଭିଙ୍କର ମନକଥା ପାରେ ଜାଣି
ତା' ପରି ଆଉ କେ ନାହିଁ ।
ମାତୃଦିବସରେ ତା' ଦୁଇ ପାଦରେ
ନୁଆଁଉଛି ମୋର ମଥା
ଆଶୀର୍ବାଦ ତା'ର ଥିଲେ ମୋ ସାଥିରେ
ସାଜିବି ଜଗତଜିତା ।
