ମାଆ
ମାଆ
ଗରଭ ଠାରୁ ସେ ଭୂମିଷ୍ଠ ପର୍ଯ୍ୟନ୍ତ
କେତେ ଯେ ବେଦନା ସହେ ,
କୁଆଁକୁଆଁ ରାବ ଶୁଣି ଶିଶୁଟିର
ଦରଦ ପାଶୋରି ଯାଏ ।
ଶୈଶବ କାଳର ଅଳି ଅଝଟକୁ
ସବୁ ସହି ସହି ଯାଏ ,
ପଢିବା ବୟସ ଆସିଲେ ପିଲାର
ପ୍ରଥମ ଗୁରୁଟି ସିଏ ।
ନୀଳକଣ୍ଠ ସମ ବିଷ ପାନ କରି
ଅମୃତ ଧାରା ପରଶେ ,
ଧୈର୍ଯ୍ୟ ସାହସ ମନେ ଭରି ଦେଇ
ମଧୁର ବଚନ ଭାଷେ ।
ସନ୍ତାନର ସୁଖ ଶାନ୍ତି ପାଇଁ ସଦା
ଉତ୍ସର୍ଗିତ ମନ ନେଇ,
ସ୍ନେହ ମମତାର ବାତ୍ସଲ୍ୟ ପ୍ରେମରେ
ବାନ୍ଧି ଦେଇଥାଏ ସେହି ।
ତା ଶୁଭ ଆଶିଷ ପୁଣ୍ୟ କରମରୁ
ସନ୍ତାନ ଉନ୍ନତି ହୁଏ,
ଜନ୍ମ ଜନ୍ମ ହୋଇ କେତେ ଜନ୍ମେ ନେଲେ
ତା ' ଋଣ ଶୁଝିବ କିଏ ।।
ସେହି ସ୍ନେହମୟୀ କରୁଣାମୟୀକୁ
ହତାଦର କରେ ଯିଏ,
ତା'ର ପରିବାର ହେବ କି ଉଜ୍ଜ୍ଵଳ
ବୁଝୁଛି ଏକଥା କିଏ ।
ଉଷାରାଣୀ ପଣ୍ଡା
