Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

DILIP KUMAR SAHOO

Classics

3  

DILIP KUMAR SAHOO

Classics

ମାଆ ବାଟମଙ୍ଗଳା

ମାଆ ବାଟମଙ୍ଗଳା

2 mins
191



ମଙ୍ଗଳା ମଙ୍ଗଳା ବାଟ ମଙ୍ଗଳା ଗୋ

ବାଟରେ ହୋଇଛ ବିଜେ

ନୀଳାଚଳ ଧାମେ ପାଦ ରଖି ଆଗ

ଭକତ ତୁମକୁ ପୂଜେ ।


ଜଗତ ମଙ୍ଗଳ ପାଇଁ ମାଆ ତୁମେ

ବାର ବାର ଅବତରୀ

ଦୁଃଖ ଦରିଆରୁ ଜଗତ ବାସୀଙ୍କୁ

ତୁମେତ କରିଛ ପାରି ।


ତୁମେ ଦୁର୍ଗା ତୁମେ ଦୁର୍ଗତି ନାଶିନୀ

କାଳରାତ୍ରି କାତ୍ୟାୟନୀ

ତୁମେ ଗୋ ପାର୍ବତୀ ତୁମେ ମାଆ ସତୀ

ଶୈଳପୁତ୍ରୀ ସୁଭାଷିନୀ।


ତୁମେ ଯୋଗମାୟା ତୁମେ ଯୋଗୀଯାୟା

ଅଜୋନୀ ସମ୍ଭୂତା ଚଣ୍ଡୀ

ବ୍ରହ୍ମଚାରିଣୀ ଗୋ ସିଦ୍ଧି ଦାୟିନୀ ଗୋ

ତୁମେ ରିଦ୍ଧି ତୁମେ ସିଦ୍ଧି।


କେତେ ପୋଥି କେତେ ପୁରାଣ ରେ ମାଆ

ମହିମା ତୁମ ବର୍ଣ୍ଣନା

ତୁମରି ଇଙ୍ଗିତେ ପିତାମହ କଲେ

ସୁନ୍ଦର ସୃଷ୍ଟି ସର୍ଜନା।


ଘନ ଅନ୍ଧକାର ଭରା ବ୍ରହ୍ମାଣ୍ଡରେ

ତୁମେ ଦେଖାଇଲ ବାଟ

ସେ ବାଟରେ ଯାଇ ପିତାମହ ବ୍ରହା

ବିଷ୍ଣୁଙ୍କ ପାଇଲେ ଭେଟ ।


ସୃଷ୍ଟି ହେଲା ଏହି ସୁନ୍ଦର ଦୁନିଆ

ତମସାର ବୁକୁ ଚିରି

ତୁମରି ମମତା ସ୍ନେହ ଶରଧାର

ଅମୃତ ପଡ଼ିଲା ଝରି ।


ସଭିଙ୍କୁ ଦେଖାଅ ବାଟ ବୋଲି ତୁମେ

ବାଟ ମଙ୍ଗଳା ନାମରେ

ପାଉଅଛ ପୂଜା ମଙ୍ଗଳ ମୟୀ ଗୋ

ତୁମେ ଶ୍ରୀକ୍ଷେତ୍ର ଧାମରେ ।


ବଣ ଜଙ୍ଗଲ ରେ ପରିପୂର୍ଣ ଥିଲା

ଯେବେ ସବୁ ବାଟଘାଟ

ବଡ଼ ଦେଉଳ କୁ ତୁମେ ତ ଜନନୀ

ଦେଖାଉଥିଲ ଯେ ବାଟ ।


ଯୁଗ ଆରମ୍ଭ ରୁ ମାଗୋ ଯୋଗମାୟା

ଜଗି ବସିଅଛ ବାଟ

ଶ୍ରୀକ୍ଷେତ୍ରେ ଶ୍ରଦ୍ଧାଳୁ ପ୍ରବେଶନ୍ତି କରି

ତୁମକୁ ଗୋ ପ୍ରଣିପାତ।


ଗଛ ମୂଳେ ତୁମେ ପୂଜା ପାଉଥିଲ

ମୁକୁଳା ଆକାଶ ତଳେ

ଭକତେ ଗଢିଲେ ଦେଉଳ ତୁମରି

ଭକତିର ଭାବ ଭୋଳେ ।


ଅପୂର୍ବ ସୁନ୍ଦର ମନ୍ଦିର ମାଆ ଗୋ

ଭକତଙ୍କ ମନ ମୋହେ

ଦୀପଟିଏ ଜାଳି ସନ୍ତାନ ତୁମରି

ମନକଥା ତାର କହେ ।


ମୁଗୁନି ପଥରେ ଗଢା ହୋଇଅଛି

ମାଆଙ୍କ ଭବ୍ୟ ମୂରତି

ଦୁଇଭୂଜା ଦେବୀ ପାଶ ଅଙ୍କୁଶ ସେ

ହାତେ ତାଙ୍କ ଧରିଛନ୍ତି।


ତ୍ରୀନୟନୀ ମାଆ ଓଠେ ତାଙ୍କ ସଦା

ଉଛୁଳୁ ଥାଏତ ହସ

ପଦ୍ମାସନେ ବସି ଜଗତ ଜନଙ୍କୁ

ବିତରୁଛନ୍ତି ଆଶିଷ।


ପ୍ରତ୍ୟୁଷରୁ ଖୋଲେ ମାଆଙ୍କ ମନ୍ଦିର

ମଙ୍ଗଳ ଆଳତୀ ହୁଏ

ସର୍ବ ମଙ୍ଗଳା ଙ୍କ ମନ୍ତ୍ର ରେ ମାଆଙ୍କ

ନିତ୍ୟ ପୂଜା ହୋଇଥାଏ।


ମାଆଙ୍କ ପୀଠରେ ନିଇତି ଗହଳି

ମାଆଙ୍କ ଦର୍ଶନ ପାଇଁ

ଧନ୍ୟ ହୋଇଥାନ୍ତି ଭକତ ସକଳେ

ମାଆଙ୍କ ପାଦୁକ ପାଇ।


ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁକି

ଯେଉଁମାନେ ଆସିଥାନ୍ତି

ମାଆଙ୍କ ପାଖରେ ଘଡ଼ିଏ ଅଟକି

ଦୀପଟିଏ ଜାଳି ଥାନ୍ତି।


ମହିମାମୟୀ ଗୋ ପରମ ବୈଷ୍ଣବୀ

ଭକତ ବତ୍ସଳା ମାଆ

ପାପ ତାପ ସବୁ ଦୂର ହୋଇଯାଏ

ଦୟାମୟୀ କଲେ ଦୟା ।


କଅଁଳ ଶିଶୁଟି କଅଁଳ ଓଠରେ

ନପାରିଲେ କଥା କହି

ମାଆଙ୍କୁ ପୁଜିଲେ ଶିଶୁର ଓଠରେ

ମିଠା କଥା ଉଛୁଳଇ ।


ପୁଅଝିଅ ଙ୍କର ବୈବାହିକ ଯୋଗେ

ବାଧା ଯଦି ଉପୁଜଇ

ବାଟ ମଙ୍ଗଳା ଙ୍କ ଅଭିଷେକ କଲେ

ବାଧା ଯାଏ ଦୂର ହୋଇ ।


ନବକଳେବର ସମୟରେ ଯେଉଁ

ନୂଆ ଦାରୁ ଆସିଥାନ୍ତି

ବାଟ ମଙ୍ଗଳା ଙ୍କ ପାଖରେ ପ୍ରଥମେ

ଅଭିଷେକ ହୋଇଥାନ୍ତି।


ଦିନଟିଏ ଦାରୁ ମାଆଙ୍କ ପୀଠରେ

ଅଟକିଯେ ରହିଥାନ୍ତି

ତାପରେ ଯାଆନ୍ତି ବଡ଼ଦେଉଳକୁ

ଦିଅଁ ଗଢା ହୋଇଥାନ୍ତି ।


ମାଆଙ୍କର ଦିନ ମଙ୍ଗଳବାର ଟି

ହୁଅଇ ବିଶେଷ ପୂଜା

ମଙ୍ଗଳ ଗୀତ ରେ ଦେଉଳ ଉଛୁଳେ

ବାଜଇ ମଙ୍ଗଳ ବାଜା ।


ବାଟ ମଙ୍ଗଳା ଙ୍କ ବଡ଼ ପର୍ବ ସେତ

ଶାରଦୀୟ ଦଶହରା

ଷୋଳଦିନ ଧରି ଷୋଡ଼ଶପଚାରେ

ପୂଜା ହୋଇଥାଏ ପରା ।


ଚଇତ୍ର ମାସର ମଙ୍ଗଳବାର ଓ

ବାସନ୍ତୀକ ଦୁର୍ଗା ପୂଜା

ଆଶିଷ ର ବାରି ଝରିଝରି ଯାଏ

ଉଡଇ ମଙ୍ଗଳ ଧ୍ବଜା।


ହୁଏ ଯାଗ ଯଜ୍ଞ ଭକ୍ତି ସମର୍ପଣ

ଉର୍ଦ୍ଧ ବାହୁ ହୋଇ ଭକ୍ତ

ମାଆ ନାମ ଗାଇ ମାଆ ନାମ ଧ୍ୟାଇ

ଜାଳୁଥାନ୍ତି ସବୁ ଦୀପ ।


ଜୟ ଜୟ ଜୟ ମା ବାଟ ମଙ୍ଗଳା

ପାଦରେ କୋଟି ପ୍ରଣାମ

ତୁମରି ମହିମା ବର୍ଣ୍ଣିଲି ମାଆ ଗୋ

ଗାଇ ଗାଇ ତୁମ ନାମ ।


ତୁମେ ଦୟା କ୍ଷମା ତୁମେ ବୁଦ୍ଧି ସିଦ୍ଧି

ତୁମେ ମୋର ଗତି ମୁକ୍ତି

ଦୋଷ ତୃଟି କୁ ମୋ କ୍ଷମା ଦେବ ମାଆ

ଅଧମ କରେ ମିନତି ।



Rate this content
Log in

Similar oriya poem from Classics