ମା' ର ଅମୃତ ବଚନ
ମା' ର ଅମୃତ ବଚନ
ମା'ର ବାତ୍ସଲ୍ୟ ମମତାର କୋମଳ ସ୍ୱର
ଆପେ ଆପେ ହୃଦୟକୁ ଛୁଏଁ ବାରମ୍ବାର
ଅମାନିଆ ସନ୍ତାନକୁ ସାନ୍ତ୍ଵନା ଆଳରେ
ମୁଣ୍ଡ ଆଉଁସି ବୁଝାଇବାକୁ ଚେଷ୍ଟା କରେ
ଅବୁଝା ହୁଅନା ମୋ ସୁନା ଧନ ମୋହର
ଯେତେ ଥର ଦୁଷ୍ଟ ସେତେ ଥର ଏ ଉତ୍ତର
ପୋଖତ ଅଭିନେତ୍ରୀ ଠୁ ଅଧିକ ମା ମନ
ତୋଷି ଦିଏ ମନ କହି ଗେହ୍ଲା ସୁନା ଧନ
ଲୁହ ଭିଜା ନୟନରେ ଭାବର ଝଲକ
ହୃଦୟ ତରଳେ ଦେଖି ମା'ର ଲୋତକ
ମା ଆଖିର ଲୁହରେ ଭାସିଯାଏ ଦୁଷ୍ଟତା
ସବୁ ଅବୁଝା କଥା ଭୁଲି ମା କୁ ମାନ୍ୟତା
ସେହି କଥାର ମହତ୍ତ୍ଵ ସବୁଠୁ ଅଧିକ
ସେହି କଥା ଜୀବନର ପଥ ପ୍ରଦର୍ଶକ
ବାପାଙ୍କର ପଦେ କଥା ମଥା ଯାଏ ଘୁରି
ମା ର ଯେତେ ଗାଳି,ସବୁ ଦାଣ୍ଡ ଧୂଳି ପରି
ମନର କଥା ଓ ପେଟର କଥା ମା ଜାଣେ
ଅଳି ଅର୍ଦ୍ଦଳି ପ୍ରଥମେ କହି ହୁଏ କାନେ
ବାତ୍ସଲ୍ୟ ମମତା ସହ ସ୍ନେହ ପ୍ରେମ ଡୋରି
ସେ ଡୋରିରେ ସନ୍ତାନକୁ ନିଅଇ ଆବୋରି
ମୋ ଧନ ମା ସୁନା,ମା'ର ମମତାର ଭାଷା
ସେଇ ଭାଷା ଆଢ଼ୁଆଳେ ନିହିତ ଭରସା
ସେଇ କଥା ମା ବିନା ଆଉ କିଏ କହୁନି
ଅନ୍ୟ ମୁହଁରେ ସେଇ କଥା ଶୋଭା ପାଏନି
ମା ବିନା କେହି ଯଦି କହେ ମୋ ଧନ, ସୁନା
ଶୁଣିଲେ ବି ସେ' କଥା ହୃଦୟକୁ ଛୁଏଁନା
ଚପଳ ମତି ସନ୍ତାନର ମା ହିଁ ସାନ୍ତ୍ଵନା
ମା'ର ସାନ୍ତ୍ଵନା ଭାଷା ମୋ ଗେହ୍ଲା,ଧନ,ସୁନା
ନୂଆ ହୋଇ ମା ହେଲେ ବି ସେଇ ଗେହ୍ଲା ବାଣୀ
ମୋ ଧନ ମୋ ସୁନା ଆଉ ଅବୁଝା ହୁଅନି
ଆଜିକାଲିର ମା ମାନଙ୍କୁ ଏ ନିବେଦନ
ନବଜାତ ଶିଶୁଙ୍କୁ କରାଅ ସ୍ତନ୍ୟ ପାନ
ଅମୃତ ପ୍ରଦାନେ ସୁସ୍ଥ ରହନ୍ତୁ ସନ୍ତାନ
ତୋଷ ହେଉ ଶୁଣି ମା'ର ଅମୃତ ବଚନ
ଅବୁଝା ହେଲେ କୁହ ସେଇ ପୁରୁଣା ବାଣୀ
ମୋ ଧନ ମୋ ସୁନା ଆଉ ଅବୁଝା ହୁଅନ ।
