ଲାଲ୍ ଆକାଶ
ଲାଲ୍ ଆକାଶ


ଆସ ମୋ ଆକାଶକୁ ମେଲି ଦେଖ
ଯେଉଁଠି ଛଟପଟ ହୁଅନ୍ତି ଲାଲ୍ ମେଘମାନେ
ଅଧା ବର୍ଷି ଆଉ ଅଧା ଝୁଲି ରହି
ନ ବର୍ଷି ପାରିବାର ହତୋତ୍ସାହୀ ଆକଟ ଭିତରେ।
ତାରା ମାନେ ବିକ୍ଷିପ୍ତ ହୋଇ
ପାଣି ପାଣି ବୋଲି ଚିତ୍କାର କରୁଥାନ୍ତି
ଜଳି ଯିବାର ଠିକ୍ ପର ମୁହୂର୍ତ୍ତରେ।
ଯେତେ ସବୁ ଅଭାବବୋଧର ଗାଢ଼ ଚମକରେ
ମୁଁ ଚମକେ ବାରମ୍ବାର ଅସତର୍କ ଅଗଣା ମଝିରେ
ରାତି ପାହିବାର ରାସ୍ତାକୁ ଅନାଇ ଅନାଇ
ହେଲେ ରାତି ବଢ଼ାଇ ଚାଲିଥାଏ ତା ଆୟୁଷ
ମୋ ନିଦ ଓ ସ୍ଵପ୍ନମାନଙ୍କୁ କବଳିତ କରି।
ମୋ ପରାସ୍ତ ସୂର୍ଯ୍ୟୋଦୟ ଭିତରେ
ମୁଁ ଦେଖେ କୁହୁଡିର କ୍ରୂର ଆଚରଣ
ସଞ୍ଜକୁ ଅପେକ୍ଷା ନକରି
ଯେବେ ଇଚ୍ଛାମାନେ ଅସ୍ତ ଯାଆନ୍ତି ପଶ୍ଚିମ ଆକାଶେ।
ବର୍ଷା ଏଠି ମାନେ ନାହିଁ ଋତୁ
ଜହ୍ନର ଚେହେରା ଲାଗେ ଉଦାସୀ ଉଦାସୀ
ଭିଡ଼ ଭିତରେ ବି ମୋତେ ଖାଇ ଗୋଡ଼ାଏ
ମୋ ନିଃସଙ୍ଗତା ମୋତେ ମାଡି ବସିବାକୁ
ମୋ ନିର୍ଜନତାରେ ବି ଆକ୍ରମଣ କରେ
ଅକାରଣ କୋଳାହଳ ମାନେ
ମୋ ଅନିଚ୍ଛାକୁ ପରିହାସ କରି।
ନଦୀର ସେ କୁଳୁକୁଳୁ ମଧୁର ନିମନ୍ତ୍ରଣ
ଦିଗନ୍ତ ବ୍ୟାପି ବିଞ୍ଚି ହୋଇ ଯାଇଥିବା ସବୁଜ ସମ୍ମୋହନ
ପକ୍ଷୀମାନଙ୍କର ସମବେତ ସଙ୍ଗୀତ ମୂର୍ଚ୍ଛନା
କିମ୍ବା ମେଘମାନଙ୍କର ବିଭିନ୍ନ ରୂପ ସଂରଚନା
ମୋତେ ଆମୋଦିତ କରିବାକୁ କରନ୍ତି ସଚ୍ଚୋଟ ପ୍ରୟାସ
ପବନ ହାତ ବୁଲେଇଦିଏ ମଥାରେ ପିଠିରେ
ହୃଦେ ରଖି ସାନ୍ତ୍ଵନାର ମୃଦୁ ଅଭିଳାଷ
କିନ୍ତୁ ମୋ ଲାଲ୍ ଆଖିରେ ଆସେନା ତଥାପି ଚମକ
କାହିଁକି ନା ମୋ ଭିତରର 'ମୁଁ' କୁ
ସେମାନେ ବାରମ୍ବାର କରି ଚାଲିଛନ୍ତି
ଇଚ୍ଛାକୃତ ପ୍ରତାରଣା ମାନ।
ଆଜି ଚକିତ କରେନା ମୋତେ ମୋ ପରାସ୍ତ ସୂଚନା
ଦୁଃଖ ଓ ଯନ୍ତ୍ରଣା ସବୁକୁ ମୁଁ ସ୍ୱୀକାର କରି ନେଇଛି
ମୋ ମୁହୂର୍ତ୍ତ ମାନଙ୍କର ସହଚର ଭାବେ
ବଞ୍ଚିବା ଅଭ୍ୟସ୍ତ ଆଜି ସୁଖ ଓ ଆଶ୍ୱାସନା ବିନା
ମୋ ଇତସ୍ତତଃ ଉଡ଼ିବୁଲୁଥିବା ସ୍ଵପ୍ନମାନଙ୍କୁ
ମୁଁ ଝୁଲାଇ ଦେଇଛି ଗଳାରେ ଦଉଡ଼ି ବାନ୍ଧି ଘର କୋଣଟାରେ।
ଆକାଶ ଏବେ ବି ଲାଲ୍ ଦିଶେ ମୋ ବିନିଦ୍ର ଆଖିରେ
ଜୀବନ ପିଠି ଥାପୁଡ଼ାଏ ବିନା ପାଦରେ ଛିଡା ରହିବାରେ।