କୁନି କଥା ଟିକେ ଶୁଣ
କୁନି କଥା ଟିକେ ଶୁଣ
ଶିଶୁ ତ ନିଷ୍ପାପ ଶିଶୁ ହିଁ ଈଶ୍ୱର
ଶିଶୁ ଅମୂଲ୍ୟ ସମ୍ପତ୍ତି
କନ୍ୟା ଶିଶୁ ଜାଣ ଗୃହ ରତ୍ନମାଳା
କହେ ଭାରତ ସଂସ୍କୃତି।ଘୋ।
ମାତା ଗର୍ଭେ ଯେବେ ହୋଇଲି ସଞ୍ଚାର
କେତେ ସ୍ଵପ୍ନ ଥିଲା ମୋର
ଝିଅ ବୋଲି ଯେବେ ହୋଇଲି ଘୋଷିତ
ଭାଳେଣି ପଡିଲା ଜୋର।୧।
ମାଆ ବାପା ଆଉ ପରିବାର ବର୍ଗ
ବିଚାରନ୍ତି ପରସ୍ପରେ
ନିଷ୍ପତ୍ତି ନିଅନ୍ତି ନଷ୍ଟ ହେବ ଭ୍ରୁଣ
ଚିକିତ୍ସକ ଇଙ୍ଗିତରେ।୨।
ମାତା ପିତା କାଳେ ଈଶ୍ଵରଠୁ ବଡ଼
ଶୁଣିଥିଲି ପୂର୍ବ ଜନ୍ମେ
ଡାକ୍ତର ଅଟନ୍ତି ଭଗବାନ ତୁଲ
ଥିଲା ମୋହର ସ୍ମରଣେ।୩।
ମାଆ ମାଆ ବୋଲି କେତେ ମୁଁ ଡାକିଛି
ଡାକ ମୋ ଶୁଣିଲେ ନାହିଁ
ଜୀବଦାତା ହାତେ ଜୀବନ ମୋ ଗଲା
(କି) ପାପ କରିଥିଲି ମୁହିଁ।୪।
ଶୁଣ ନରରୂପୀ ରାକ୍ଷସ ପିଶାଚ
ଧରା ଶିଘ୍ର କ୍ଷୟ ଯିବ
ପ୍ରକୃତି ବିହୁନେ ପୁରୁଷର ସ୍ଥିତି
ହେବ କି ସୃଷ୍ଟି ସମ୍ଭବ!୫।
ଫୁଟିବା ଆଗରୁ କାନନରେ ତବ
ଝଡ଼ିଗଲି ଅକାଳରେ
ହେ ଜଗତପିତା ଦେବ କି ଉତ୍ତର
(କି) ଭୁଲ୍ ଥିଲା ମୋହ ଠାରେ !୬।
