କୁମାରୋତ୍ସବ
କୁମାରୋତ୍ସବ
ଶୁଭ୍ର ଶରତରେ ଆଶ୍ବିନ ଶେଷରେ
ପାଳନ କୁମାର ପୂର୍ଣ୍ଣିମା
ଆହା ! କି ସୁନ୍ଦର ସୁଠାମ ସୁଗୋଲ
ଶୋଭା ପ୍ରକାଶଇ ଚନ୍ଦ୍ରମା
କୁମାରୀମାନେ
ଚାନ୍ଦ ସମ ବର ଇଚ୍ଛିଣ
କୁମାର ଉତ୍ସବେ ଭକତି ବିଭବେ
ହରଷେ ଚାନ୍ଦର ପୂଜନ ।
କଜ୍ଜ୍ବଳ ଅଳତା କୁଙ୍କୁମର ଚିତା
ନବ ବାସ ଅଙ୍ଗେ ମଣ୍ଡାଇ
ପୁଲକିତ ମନେ ହର୍ଷିତ ବଦନେ
ଚଉଁରା ମୂଳେ ମେଳ ହୋଇ
ସାୟଂକାଳରେ
ଭାବ ଭକତି ଗଦଗଦ
ପୂଜି ବୃନ୍ଦାବତୀ ତାଙ୍କ ପରି ସତୀ
ଅଭୀପ୍ସା ପୂରଣ ନିମିତ୍ତ ।
ଭୋଗ ସାମଗ୍ରୀରେ ସପତ ଚାନ୍ଦରେ
ଥାଳିଟି ହୁଅଇ ସଜ୍ଜିତ
ମଣ୍ଡା କାକରା ଥାଳିଟିରେ ତୋରା
କରଇ ମନ ମହକିତ
ଧୂପ ଦୀପରେ
ସତୀଙ୍କ ବନ୍ଦାପନା ସାରି
ବାଢ଼ି ନଇବେଦ୍ୟ ହୃଦୟ ଆମୋଦ
ମନ ସତେ ଗୋପ ନଗରୀ !
ସକଳ କୁମାରୀ ବନ୍ଦାପନା ଥାଳି
ଏକତ୍ରିତ ଧରି ହସ୍ତରେ
ହୁଳହୁଳି ଦେଇ ଚାନ୍ଦକୁ ବନ୍ଦାଇ
ଚାହାଁନ୍ତି ସଜ୍ଜଳ ନେତ୍ରରେ
ସ୍ବ ଆଞ୍ଜୁଳାରେ
ଭରିଣ ଲାଜର ଉଖୁଡ଼ା
ଚଞ୍ଚଳ ଚଞ୍ଚଳ ତୁଣ୍ଡରେ ଭରନ୍ତି
ଚାନ୍ଦ ହୋଇବ କାଳେ ବୁଢ଼ା !
ବସି ଏକଠାବେ ଆନନ୍ଦାନୁଭବେ
କୁଆଁର ପୂନେଇ ଜହ୍ନ ଲୋ
ସଙ୍ଗୀତର ସ୍ବନ ସତେ କି ଗଗନ
ଭେଦି ଚାନ୍ଦ ପାଶେ ଯାଏ ଲୋ
କି ମଧୁମୟ
ଲାଗଇ ସେହି ପରିବେଶ
କାନେ କାନେ ଛୁଇଁ ହୃଦୟକୁ ଯାଇ
ତୋଳଇ ଅପାର ସନ୍ତୋଷ ।
ଜହ୍ନର ଜୋଛନା ଭରେ ଉନ୍ମାଦନା
କୁମାରୀଏ ପୁଚି ଖେଳରେ
ମନକୁ ନିବେଶି ହୋଇ ଅତି ଖୁସି
ମାତି ଯାଆନ୍ତି ସରାଗରେ
ଆଜ ଦିନରେ
ଖେଳୁନି ଆଉ ସିଏ ପୁଚି
ଆସେ ସରି ସରି ଉଦ୍ବେଗ ସବୁରି
ବାସ ଉଡ଼ି କନା ପଡ଼ିଛି ।
ଉତ୍କଳ ସଂସ୍କୃତି ମହନୀୟ ଗୀତି
ହିଲ୍ଲୋଳିତ ସର୍ବ ଅଗଣା
ଭୁଲି ନାହିଁ କେହି ଭୁଲିଯିବେ ନାହିଁ
ମନ ହେଲେ ବି ବାଟ ବଣା
ଫେରାଇ ଆଣି
ମହତ୍ତ୍ବକୁ ବୁଝି ହୃଦୟ
ଆମେ ଉତ୍କଳୀୟ ଉତ୍କଳର ଜୟ
ଗାଇ ଚାଲିବା ଅହରହ ।
