କୁବୁଜା ସ୍ତବ
କୁବୁଜା ସ୍ତବ


ମଥୁରା ଦାଣ୍ଡେ ଦେଖି କୁଜି କୁବୁଜା
କହନ୍ତି ରାମ କୃଷ୍ଣ ଆଲୋ ଅନୂଜା
ହସ୍ତେ ଘେନିଛୁ ରାଜା ଗନ୍ଧ ଚନ୍ଦନ
ଆମ୍ଭେ ତ ବେନି ଭାଇ ନନ୍ଦନନ୍ଦନ l
ବିଧିରେ ଆମ୍ଭେ ପୁଣି ରାଜା ଭଣଜା
ଦେଖି ଯାଉଛୁ ମାମୁଁ ସାୟକ ପୂଜା
କେମନ୍ତବେଶ ଭଗ୍ନୀ ଜାଣୁଲୋ ତୁହି
ଗନ୍ଧ ଚନ୍ଦନେ ଟିକେ ଦିଅ ସଜାଇ l
ରାମ କୃଷ୍ଣଙ୍କ ବାଣୀ କୁବୁଜା ଶୁଣି
ଫେଡ଼ିଲା ଗନ୍ଧବାସ ପେଡ଼ିକୁ ଆଣି
ସଜାଇ ଦେଲା କରି ବେଶ ମୋହନ
ଚେତାବୁଡ଼ିବ ଦେଖି ଗୋପୀଜୀବନ l
ଯାମଳାଭଞ୍ଜା ମନ ମୋହନ ବେଶେ
ସଳଖିଦେଲେ କୁଜି ଖଞ୍ଜା ହରଷେ
ଅପୂର୍ବନାରୀ ବେଶେ କୁବୁଜା କୁଜି
ସ୍ତୁତି କରଇ ବେନି ନୟନ ବୁଜି l
ହେ ପ୍ରଭୁ ଦୟାମୟ ନନ୍ଦ ନନ୍ଦନ
ଜଗତ ଧାତା ପ୍ରଭୁ ବିଶ୍ଵ ସ୍ପନ୍ଧନ
ଯଶୋଦା ପ୍ରାଣ ଧନ ଗଳାରମାଳି
 
; ଦୀନଜନ ବାନ୍ଧବ ଭକତ ତାଳି l
ସୁନ୍ଦର ରୂପ ଦେଲୁ ନବ ଯୌବନ
ହେବି କି ତୋ ସେବକୀପଣେ ଭାଜନ
ମୁରଲୀପାଣି ଦେବ ମୋତେ ଏ ବର
ଭାରିଯା ତୋର ହେବି ବ୍ରଜ ସୁନ୍ଦର ।
କୃଷ୍ଣ ବୋଇଲେ ଶୁଣ ମଥୁରା ବାଳୀ
ମୋ ସଙ୍ଗେ ଛନ୍ତି ପରା ଅଗ୍ରଜ ହଳୀ
କେମନ୍ତ କଥା କହୁ ନାହିଁ ଟି ଲଜ୍ଜ୍ୟା
ମଥୁରାନାରୀ ମୋର ହେବୁ ଭାରିଜା ।
ମନ ପାଞ୍ଚ ତୋହର ଯେବେ ଭାରିଜା
ବର ଦେଉଛି ଶୁଣ ଆଲୋ କୁବୁଜା
ବସ ତୁ ଯାଇ ତୋର ପୁର ସଜାଇ
କଂସ ସଂହାରି ନିଶ୍ଚେ ଆସିବି ମୁହିଁ l
ଏମନ୍ତ ବର ଦେଇ ଅନାଇ ଦଣ୍ଡେ
ଭକ୍ତବତ୍ସଳ ଗଲେ ମଥୁରା ଦାଣ୍ଡେ
ପୁର ସଜାଇ ରହେ କୁବୁଜା ନାରୀ
ଭକ୍ତବତ୍ସଳ ପଦେ ରହି ଗୁହାରି l
କାଳୀୟଗଞ୍ଜା ପଦେ ଏତିକି ଅଳି
ମୁଣ୍ଡେ ମୋ ରୁଣ୍ଡହେଉ ମଥୁରା ଧୂଳି l